ବରଗଡ଼: ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମପଞ୍ଚାୟତର ଦେଚୁଆଁ ଗାଁ ରହିଛି ଘଞ୍ଚ ଜଙ୍ଗଲର ପାହାଡ଼ ଉପରେ । ଗାଁରେ ଅନେକ ପରିବାର ବାସ କରୁଥିବାବେଳେ ସମସ୍ତେ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି । ଏହି ଗାଁରେ ବ୍ରିଟିଶ ଅମଳରେ ରହିଥିଲା ଏକ ରେଷ୍ଟ ହାଉସ । ଯେଉଁଠାରେ ଇଂରେଜ ଅଫିସର ମାନେ ଟିକସ ବସୁଲି କରିବାକୁ ଆସୁଥିବାବେଳେ ଏଠାରେ ବିଶ୍ରାମ ନେଉଥିଲେ । ଏହି ଗାଁ ଲୋକେ ସେମାନଙ୍କ ସେବା ମଧ୍ୟ କରୁଥିଲେ । ସେହି ସମୟରୁ ଜଙ୍ଗଲ ଜମି ମାନଙ୍କରେ ଚାଷବାସ କରି ରହିଆସୁଛନ୍ତି ବହୁ ପରିବାର ।
ତେବେ ଗାଁରେ ୩୦୦ ଭୋଟର ଥିବା ବେଳେ ସମସ୍ତେ ଭୋଟ ଦେଇଥାନ୍ତି ହେଲେ ନିଜସ୍ବ ଜମିପଟ୍ଟା ନ ଥିବାରୁ ସେମାନଙ୍କୁ ନା ମିଳୁଛି ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ନା ମିଳୁଛି କୌଣସି ଫସଲବୀମାର ଲାଭ । କେବଳ ଚାଷ କରିଚାଲିଛନ୍ତି ଏବଂ ଚାଷରେ କ୍ଷତି ହେଲେ ମିଳିପାରୁନାହିଁ ସରକାରୀ ସହାୟତା । ଅନ୍ୟପଟେ କୌଣସି ଚାଷ ଋଣ ମଧ୍ୟ ମିଳୁନାହିଁ ।
ଏନେଇ ଗ୍ରାମବାସୀ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତିଯେ, ସେମାନଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯାଉ ନଚେତ ଏହି ଗାଁକୁ ଜଙ୍ଗଲରୁ ଉଚ୍ଛେଦ କରି ଅନ୍ୟତ୍ର ବସତି ପାଇଁ ସୁବିଧା କରି ଜମିପଟ୍ଟା ପ୍ରଦାନ କରାଯାଉ । ଯାହାଫଳରେ ସେମାନେ ସମସ୍ତ ସରକାରୀ ସୁବିଧା ପାଇପାରିବେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ