ବରଗଡ: ଅନେକ ଦିନ ପରେ ବରଗଡ ଜିଲ୍ଲା ବିଜେପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ ବିଜେଡି ଦଳର ପ୍ରାର୍ଥୀନୀ ରୀତା ସାହୁଙ୍କ ପାଇଁ ପ୍ରଚାରର ମଙ୍ଗ ଧରିବାକୁ ନବୀନ ଗୁରବାର ବିଜେପୁରକୁ ଆସୁଛନ୍ତି । ୧୭ ଓ ୧୮ ତାରିଖ ଦୁଇଦିନ ଧରି ବିଜେପୁରରେ ବିଜେଡିର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।
ନବୀନ ଗାଇସିଲେଟ, ବିଜେପୁର ଓ ବରପାଳି ବ୍ଲକର ୪୩ଟି ସ୍ଥାନରେ ପଥପ୍ରାନ୍ତ ସଭାରେ ଯୋଗଦାନ କରିବେ । ଗୁରବାର ସକାଳ ୧୦ଟା ୩୦ ମିନିଟରେ ସେ ବିଜେପୁର ବ୍ଲକ ଲାଉମୁଣ୍ଡାରେ ହେଲିକେପ୍ଟରରେ ଓହ୍ଲାଇବେ ଏବଂ ପ୍ରଥମେ କୁରକୁଟା ଗାଁରେ ଲୋକଙ୍କୁ ସମ୍ବୋଧିତ କରି ରୋଡ଼ ସୋ ଆରମ୍ଭ କରିବେ । ପରେ ବିଜେପୁର ଏବଂ ବରପାଳି ବ୍ଲକର ୩୦ ଗୋଟି ଗ୍ରାମରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମ୍ବୋଧନ କରିବା ସହ ସନ୍ଧ୍ୟା ୬ ଟା ୪୦ ମିନିଟରେ ରକସାରେ ତାଙ୍କର ଶେଷ କାର୍ଯ୍ୟକ୍ରମ ରହିଛି ।
ବରଗଡ଼ PWD ଡ଼ାକବଙ୍ଗଳାଠାରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ । ତେବେ ୧୮ ତାରିଖରେ ମଧ୍ୟ ନବୀନ ଗାଇସିଲେଟ ବ୍ଲକର ତାଳପଲିଠାରେ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ରୋଡ଼ ସୋ କରିବେ । ଅପରାହ୍ନ ୧ ଟା ୪୫ ମିନିଟରେ ଗୁଦେରପାଲିରେ ପ୍ରଚାର କାର୍ଯ୍ୟକ୍ରମ ଶେଷକରି ନବୀନ ଭୁବନେଶ୍ବର ଫେରିଯିବେ ।
ବିଜେଡି ସୁପ୍ରିମୋଙ୍କ ବିଜେପୁର ଗସ୍ତ ନେଇ ବିଜେଡ଼ି ନେତା ଓ କର୍ମୀମାନେ ଉତ୍ସାହିତ ଅଛନ୍ତି । ଅନ୍ୟପକ୍ଷେ ନବୀନଙ୍କ ବିଜେପୁର ଗସ୍ତରେ ବିଜେପି ଦଳକୁ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ସାଂସଦ ସୁରେଶ ପୁଝାରୀ । ବିଜେପୁର ବାସୀଙ୍କ ପ୍ରଶ୍ନର ବାଣକୁ ସାମ୍ନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତ ହୋଇ ଆସିନ୍ତୁ ବୋଲି ସୁରେଶ କହିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ