ବରଗଡ଼: ଓଡିଶାର ଭାତ ହାଣ୍ଡି ରୂପେ ଦିନେ ସୁନାମ ଅର୍ଜନ କରିଥିବା ବରଗଡ ଜିଲ୍ଲା ଆଜି କିନ୍ତୁ କ୍ୟାନ୍ସର ରୋଗ ପାଇଁ ପରିଚିତ | ରାଜ୍ୟରେ କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ପଶ୍ଚିମ ଓଡିଶାର ବରଗଡ ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ସର୍ବାଧିକ | ତେବେ କେବଳ ବରଗଡ ଜିଲ୍ଲାରେ କେଉଁ କାରଣରୁ ଏତେ ସଂଖ୍ୟାରେ କ୍ୟାନ୍ସର ରୋଗ ବଢି ଚାଲିଛି ତାହାର ମୂଳ କାରଣ ସରକାର ପାଖରେ ମଧ୍ୟ ନଥିବା ବେଳେ ଏଠାରେ ଚାଷ କାମରେ ବ୍ୟବହୃତ ହେଉଥିବା ପ୍ରଚୁର ପରିମାଣରେ ରାସାୟନିକ ସାର ଓ କୀଟନାଶକ ବୋଲି ସନ୍ଦେହ ପ୍ରକାଶ ପାଇଛି |
ଅପରପକ୍ଷେ ବିଶେଷଜ୍ଞ ମାନଙ୍କ କହିବାନୁସାରେ ଦୂଷିତ ପରିବେଶ ବା ବାୟୁ, ପ୍ରଦୂଷିତ ଜଳ ଓ ରାସାୟନିକ ଯୁକ୍ତ ଖାଦ୍ୟ ପଦାର୍ଥର ବ୍ୟବହାର ଯୋଗୁଁ ଟ୍ୟୁମର ଓ କ୍ୟାନ୍ସର ପରି ମାରାତ୍ମକ ରୋଗ ବଢି ଚାଲିଛି । ଏହାର ସଠିକ ଚିକିତ୍ସା ନପାଇ ବହୁ ଲୋକଙ୍କ ଏହି ମାରାତ୍ମକ ରୋଗରେ ମୃତ୍ୟୁ ହେଉଛି | 1950 ମସିହାରୁ ହୀରାକୁଦ ଜଳଭଣ୍ଡାରର ପାଣି କେନାଲ ଦେଇ ବରଗଡ ଜିଲ୍ଲାରେ ପ୍ରବେଶ କରିବା ପରେ ବର୍ଷ ସାରା ଏଠାରେ ପନିପରିବା ଓ ଧାନ ଚାଷ କାମ ଆରମ୍ଭ ହୋଇଥିଲା | ଗୋଟେ ବର୍ଷରେ ଦୁଇ ଥର ଏଠାରେ ଧାନଚାଷ ହେଉଥିବା ଦେଖି ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ମଧ୍ୟ ବହୁ ଚାଷୀ ଆସି ଏଠାରେ ନିଜର ଚାଷ ଓ ବ୍ୟବସାୟ ଆରମ୍ଭ କରିଦେଇଥିଲେ | ପରେ ଅତ୍ୟଧିକ ଫସଲ ଅମଳ ପାଇଁ ଚାଷୀ ମାନେ ଅଧିକ ସାର ଓ କୀଟନାଶକ ପ୍ରୟୋଗ କରିବା ଶିଖିଲେ | ଚାଷୀ ଭଲ ରୋଜଗାର ମଧ୍ୟ କଲେ କିନ୍ତୁ ସାର ଓ କୀଟନାଶକ ପ୍ରୟୋଗର ବିଧି ଓ ପ୍ରଣାଳୀର ଅଭାବ ଯେ ବରଗଡ ପାଇଁ ବିଷ ପାଲଟିଯିବ ତାହା କେହି ଭାବିନଥିଲେ |
ଅନଭିଜ୍ଞ ଭାବେ ଏତେ ବର୍ଷ ଧରି ସାର ଓ କୀଟନାଶକ ପ୍ରୟୋଗ ଏଠାକାର ଭୂତଳ ଜଳକୁ ମଧ୍ୟ ବିଷ କରିଦେଇଛି | ଏପରିକି ଉତ୍ପାଦିତ ଶସ୍ୟ ଓ ପନିପରିବାରେ ମଧ୍ୟ ଏହାର ପ୍ରଭାବ ପ୍ରଚୁର ମାତ୍ରାରେ ଦେଖାଦେଛି | ପିଇବା ପାଣି ଠାରୁ ଆରମ୍ଭ କରି ପନିପରିବା, ଖାଦ୍ୟ ଇତ୍ୟାଦି ସବୁ ଏହି ଅଞ୍ଚଳରେ ଜହର ପାଳଟିଯାଇଥିବା ବେଳେ ଏଠାକାର ଜଳବାୟୁ ମଧ୍ୟ ଦୂଷିତ ହୋଇପଡିଛି | କିଛି ଶିକ୍ଷିତ ଚାଷୀ ଚାଷରେ ମାତ୍ରାଧିକ ପରିମାଣରେ ସାର ଓ କୀଟନାଶକ ବ୍ୟବହାର ଯୋଗୁଁ କ୍ୟାନ୍ସର ରୋଗ ବଢୁଥିବା ଜାଣିପାରି ଏବେ ଜୈବିକ ଚାଷ ଉପରେ ଗୁରୁତ୍ଵ ଦେଉଛନ୍ତି ।
ବରଗଡରେ ପ୍ରଚୁର ଧାନ ଚାଷ ହେଉଥିବା ବେଳେ ଏଠାରେ ଗଢି ଉଠିଛି ଶହ ଶହ ଧାନ ମିଲ । ଏହି ସବୁ ଧାନକଳ ଗୁଡିକର ଦୂଷିତ ଧୂଆଁ ବରଗଡ ବାସୀଙ୍କ ପାଇଁ କାଳ ହୋଇଛି | କେବଳ ବରଗଡ ଜିଲ୍ଲାରେ ୧୨୭ ଗୋଟି ଧାନକଳ ରହିଥିବା ବେଳେ ଏହି ମିଲ ଗୁଡିକରୁ ଅନବରତ ବାହାରୁଥିବା ଧୂଆଁ ଯୋଗୁଁ ବାୟୁ ପ୍ରଦୂଷଣ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ପ୍ରଦୂଷଣ ଯାଞ୍ଚ କରାଯାଉନାହିଁ | ତେବେ ବାୟୁ ପ୍ରଦୂଷଣ ମଧ୍ୟ କେନ୍ସର ରୋଗ କାରକ ହୋଇଥିବା ବେଳେ ଏହି ଦିଗରେ କେହି ମଧ୍ୟ ନଜର ଦେଉନାହାନ୍ତି | କେବଳ ସେତିକି ନୁହେଁ ବଜାରରେ ମିଳୁଥିବା କଦଳୀ, ସେଓ, ଅଙ୍ଗୁର ଆଦି ଫଳ ଗୁଡିକୁ ରାସାୟନିକ ଲେପ ଦିଆଯାଇ ପଚା ଯାଉଥିବାରୁ ତାହା କ୍ୟାନ୍ସର କାରକ ହୋଇଥାଏ ସେହିପରି ପ୍ପ୍ଲାଷ୍ଟିକ ପଲିଥିନ ବ୍ୟବହାର ମଧ୍ୟ ସମାନ ପରିମାଣରେ ପାଇଁ ଦାୟୀ |
ବରଗଡରେ ବିଗତ କିଛି ବର୍ଷରେ କେନ୍ସର ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି ଏବଂ ଏହି ରୋଗରେ ମୃତ୍ୟୁ ସଂଖ୍ୟା ମଧ୍ୟ ବହୁତ ଅଧିକ ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟାର ବାତାବରଣ ସୃଷ୍ଟି ହୋଇଯାଇଛି | ଗତ ୨୦୧୪ -୧୫ ରେ ୧୦୧୭ ଜଣ କ୍ୟାନ୍ସର ରୋଗୀଙ୍କ ଚିହ୍ନଟ ହୋଇଥିବା ବେଳେ , ୨୦୧୫ -୧୬ ରେ ୧୦୬୫ ଜଣ କେନ୍ସର ରୋଗୀ , ୨୦୧୬ -୧୭ ରେ ୧୦୯୮ ଜଣ କେନ୍ସର ରୋଗୀ ଏବଂ ୨୦୧୭ -୧୮ ରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୧୧୦୦ ଟପିଯାଇଥିବା ଜଣାପଡିଛି | ତେବେ ବରଗଡର କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ପେପଟିକ କେନ୍ସର ଓ ବ୍ରେଷ୍ଟ କ୍ୟାନ୍ସର ଅଧିକ ଦେଖାଯାଉଥିବା ବେଳେ ଥ୍ରୋଡ କ୍ୟାନ୍ସର , ଓ ଅନ୍ୟାନ୍ୟ କ୍ୟାନ୍ସର ରୋଗର ମାତ୍ରା କମ ଅଟେ |
କ୍ୟାନ୍ସର ରୋଗହେଲେ କିପରି ସମଗ୍ର ପରିବାର ସର୍ବସ୍ଵାନ୍ତ ହୋଇପଡେ ତାହା କ୍ୟାନ୍ସର ପୀଡିତ ପରିବାର ଠାରୁ ଆଉ କିଏ ବା ଅଧିକ ଜାଣିବ | ତେବେ ବରଗଡରେ ଏହି ରୋଗ ଶହ ସଂଗ୍ରାମ କରି ବର୍ତ୍ତିଯାଇଥିବା ରୋଗୀ ମାନେ ନିଜ ଉଦ୍ୟମରେ ଫାଇଟର୍ସ ଗୃପ ନାମରେ ଏକ ସଙ୍ଗଠନ ଗଢି କ୍ୟାନ୍ସର ରୋଗୀଙ୍କ ସାହାର୍ଯ୍ୟ ପାଇଁ ହାତ ବଢାଇଛନ୍ତି | ବରଗଡରେ କ୍ୟାନ୍ସର ରୋଗର କାୟା ବିସ୍ତାର ହେଉଥିବା ଦେଖି ଏହି ସଙ୍ଗଠନ ବରଗଡରେ ଏକ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ୨୦୧୭ ମସିହାରୁ ଦାବି କରିଆସୁଛନ୍ତି | ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମଧ୍ୟ ବରଗଡରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ କିନ୍ତୁ ଆଜି ଯାଏ ଏହାର କୌଣସି ସୁଫଳ ମିଳିନାହିଁ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ