ବରଗଡ: ଦୀର୍ଘଦିନର ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ପରେ ବରଗଡ ପୋଲିସ ଏବେ ଆକ୍ସନ ମୋଡରେ । ବରଗଡ ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚାଲିଛି ଚେକିଂ । ମଦ୍ୟପାନ କରି ଗାଡି ଚଳାଇଲେ, ତିନିଜଣ ମୋଟର ସାଇକେଲରେ ଯାତ୍ରା କଲେ, ବିନା ହେଲମେଟରେ ଗାଡି ଚଳାଇଲେ, ବିନା ସିଟବେଲ୍ଟ ଲଗାଇ ଚଳାଇଲେ ଓ ଦ୍ରୁତଗତିରେ ଗାଡିଚାଲାଉଥିବା ବ୍ୟକ୍ତିଙ୍କୁ ପୋଲିସ କରୁଛି ଟାର୍ଗେଟ ।
ରାଜ୍ୟ ସରକାର ଜନସାଧାରଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ସଠିକ ରଖିବା ପାଇଁ ତିନି ମାସ କୋହଳ କରିଥିବା ବେଳେ କିନ୍ତୁ ବେଆଇନ ଭାବେ ଗାଡି ଚଲାଉଥିବା ଲୋକଙ୍କୁ ଧରପଗଡ ଜାରି ରଖିବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ବରଗଡ ପୋଲିସ ପକ୍ଷରୁ ଚେକିଂ ସମୟରେ ମଦ୍ୟପାନ କରି ଗାଡି ଚାଲାଉଥିବା ତିନିଜଣ ଟ୍ରକ ଡ୍ରାଇଭରଙ୍କୁ ଫାଇନ କରିବା ସହିତ ଜେଲ ପଠାଇଛି ।
ତିନି ଜଣ ଟ୍ରକ ଡ୍ରାଇଭର ମାନେ ଅନ୍ୟ ଅଞ୍ଚଳର ହୋଇଥିବା ବେଳେ ଆଗକୁ ଏପରି ଭୁଲ କରିବେ ନାହିଁ ବୋଲି କହିବା ସହ ଡ୍ରାଇଭର ସାଥିମାନଙ୍କୁ ମଧ୍ୟ ମଦ୍ୟପାନ ନ କରି ଗାଡି ଚଳାଇବା ପାଇଁ ନିବେଦନ କରିଛନ୍ତି । ବରଗଡ ପୋଲିସ ଉକ୍ତ ଗାଡିଚାଳକଙ୍କ ମାଲିକ ମାନଙ୍କୁ ଡକାଇ ମଦ ପିଉଥିବା ଡ୍ରାଇଭର ମାନଙ୍କୁ ଗାଡି ଚଳାଇବାକୁ ନଦେବା ପାଇଁ କହିଛି ।
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ