ବରଗଡ: ମଣିଷ ନିଜର ପ୍ରତିଟି ଆବଶ୍ୟକତା ପୂରଣ ପାଇଁ ଗଢି ଚାଲିଛି ଲକ୍ଷ ଲକ୍ଷ କଳକାରଖାନା, ପ୍ଲାଣ୍ଟ ଓ ଫ୍ୟାକ୍ଟ୍ରି । ଏହା ମଣିଷର ଆବଶ୍ୟକତା ପୂରଣ କରୁଛି ସତ, ହେଲେ ଏଥିପାଇଁ ମଣିଷର କେତେ ଯେ କ୍ଷତି ହେଉଛି ତାହା ମଣିଷ ନିଜେ ଆକଳନ ମଧ୍ୟ କରିବାକୁ ଅସମର୍ଥ ହୋଇପଡିଛି ଆଜି । ଦିନେ ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି କହୁଥିବା ମଣିଷ ଆଜି ଭୁଲିଗଲାଣି ସୁସ୍ଥ ରହିବାର କାରଣ । ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳମାନଙ୍କରେ ଜୀବନ ଶୈଳୀ ଓ ଦୂଷିତ ବାତାବରଣ ପାଇଁ ଆଜି ମଣିଷ ଘୋର ସମସ୍ୟା ଘେରରେ ରହିଛି ।
ବରଗଡ ଜିଲ୍ଲାକୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାବେଳେ ପ୍ରଚୁର ଚାଷକାମ ପାଇଁ ଏଠାରେ ବହୁ ସଂଖ୍ୟାରେ କଳକାରଖାନା ଗଢି ଉଠିଛି । ନିର୍ଗତ କଳଧୂଆଁର କଳାବାଦଲ ପୂରା ଜିଲ୍ଲାକୁ କବଜା କରିଥିବାବେଳେ, ଜଳଚରଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ମଣିଷ ସମସ୍ତଙ୍କ ଜୀବନନାଶକ ସାଜିଛି ଏଥିରୁ ବାହାରୁଥିବା ଦୂଷିତ ଜଳ । ଏପରିକି ପ୍ରଦୂଷଣର ଆସ୍ତରଣରେ ଜଳର ରଙ୍ଗ ବି ବଦଳି ଯାଉଛି ।
ଅନ୍ୟପଟେ ବରଗଡ ସହର ଭିତରେ ରହିଥିବା ପୌରପରିଷଦର ଡମ୍ଫିଙ୍ଗ ୟାର୍ଡ଼ରୁ ନିର୍ଗତ ଦୂଷିତ ବାୟୁ ଓ ଦୂଷିତ ଜଳ ମାଟିତଳେ ରହି ସ୍ଥାନୀୟ ଲୋକଙ୍କ କୂଅ ଓ ନଳକୂପର ପାଣିକୁ ବିଷାକ୍ତ କରିଦେଉଛି | ଯାହାଫଳରେ ନାନା ପ୍ରକାରର ରୋଗରେ ପଡ଼ୁଛନ୍ତି ଲୋକେ | କେନାଲରେ ମଧ୍ୟ ଦୂଷିତ ଓ ବିଷାକ୍ତ ବର୍ଜ୍ୟବସ୍ତୁ ମିଶି ଗାଧୋଉଥିବା ଲୋକଙ୍କ ଦେହରେ ଚର୍ମ ରୋଗ ହେଉଛି | ଲୋକେ ଯେତେ ଅଭିଯୋଗ ଓ ଆନ୍ଦୋଳନ କଲେ ମଧ୍ୟ ପ୍ରଶାସନ କୌଣସି ସୁଫଳ ମିଳୁନାହିଁ |
ଭାତହାଣ୍ଡି ବୋଲାଉଥିବା ବରଗଡ ଜିଲ୍ଲାରେ ବିଭିନ୍ନ ଆବଶ୍ୟକତାକୁ ନଜରରେ ରଖି ଗଢି ଉଠିଛି 130ରୁ ଅଧିକ ରାଇସ ମିଲ ଓ ରହିଛି ଗୋଟିଏ ଏସିସି ସିମେଣ୍ଟ ଫ୍ୟାକ୍ଟ୍ରି । ପ୍ରତିଦିନ ଏହି ରାଇସ ମିଲ ଓ ଫ୍ୟାକ୍ଟ୍ରିର ବିଷାକ୍ତ ଓ ରାସାୟନିକ ପଦାର୍ଥଯୁକ୍ତ ପାଣି ବିଭିନ୍ନ ନଳା ଦେଇ ଆସି ନିକଟସ୍ଥ ପୋଖରୀ ଓ ଜଳାଶୟରେ ମିଶେ । ଯାହା ପାଣି ବ୍ୟବହାର ଅନୁପଯୋଗୀ କରିଦିଏ । ଯାହାର ପ୍ରଭାବରେ ଜିଲ୍ଲା ଦେଇ ଯାଇଥିବା ଜିରା ନଦୀ ବି ଅସ୍ବାସ୍ଥ୍ୟକର ପାଲଟିଛି ।
ତେବେ କୋରୋନା ସଂକ୍ରମଣ ପାଇଁ ଲାଗୁ ଲକଡାଉନ ସମୟରେ କଳକାରଖାନା, ପ୍ଲାଣ୍ଟ ଓ ଫ୍ୟାକ୍ଟ୍ରି ବନ୍ଦ ଥିବାରୁ ସମସ୍ତ ଜଳରାଶି ନିର୍ମଳ ହେବାରେ ଲାଗିଥିଲା । ହେଲେ ଏବେ ପୁଣି ସେହି ପୂର୍ବପରି ଅବସ୍ଥା | ବିଷାକ୍ତ ପାଣି ଯୋଗୁଁ ପୋଖରୀରେ ରହିଥିବା ମାଛଗୁଡିକ ମରି ଭାଷୁଛନ୍ତି । ସେହିପରି ବାୟୁ ପ୍ରଦୂଷଣ ମଧ୍ୟ ଦ୍ରୁତ ଗତିରେ ବଢୁଛି । ମାତ୍ର ବରଗଡ ଜିଲ୍ଲାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କୌଣସି କାର୍ଯ୍ୟାନୁଷ୍ଠାନ ନଥିବାରୁ ଏଠାରେ ମନମୁଖୀ ପ୍ରଦୂଷଣ କରିଚାଲିଛନ୍ତି କଳକାରଖାନାଗୁଡିକ ।
ଅତ୍ୟାଧୁନିକ ଓ ଯୁଗୋପଯୋଗୀ ବିକାଶ ଗ୍ରହଣୀୟ, କିନ୍ତୁ ଏହାର ପରିଚାଳନାରେ ବାଟବଣା ଯେ କେତେ ମାରାତ୍ମକ ତାହା ବରଗଡର ବିପଦପୂର୍ଣ୍ଣ ସ୍ଥିତିରୁ ବାରି ହୋଇପଡୁଛି । ଯଦି ସରକାର ଶୀଘ୍ର ଏହି ଦିଗରେ ଗୁରୁତ୍ଵ ନଦେଲେ ତେବେ ଆଗାମୀ ଦିନରେ ପ୍ରଦୂଷଣ କାରଣରୁ ବହୁ ଜନଜୀବନ ହାନି ହେବାର ସମ୍ଭାବନା ରହିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ