ବରଗଡ: ନାରୀ ଜାତି ପ୍ରତି କଳଙ୍କ ସାଜିଲେ ବରଗଡ ଜିଲ୍ଲାର ଜଣେ ମହିଳା ପୋଲିସ । ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ତଥା ପୋଲିସ ବିଭାଗ ପକ୍ଷରୁ ନାନା ଯୋଜନା କରାଯାଇ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଉଛି ହେଲେ ଯେତେବେଳେ ଜଣେ ମହିଳା ପୋଲିସ ହିଁ ଅନ୍ୟ ଜଣେ ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ଅନ୍ୟାୟ ଓ ଅତ୍ୟାଚାର କରୁଛି ତାହାହେଲେ କିଏ ବା କାହିଁକି ପୋଲିସକୁ ଭରଷା କରିବ ।
ଜିଲ୍ଲାର ଜଗଦଲପୁର ଥାନାରେ ଘଟିଛି ଏପରି ଏକ ଘଟଣା ଯାହା କେବଳ ନାରୀ ସମାଜ ପାଇଁ କଳଙ୍କ ନୁହେଁ ବରଂ ମାନବ ଅଧିକାରର ଉଲ୍ଲଂଘନ ସହିତ ଆଇନର ଦୂରୁପଯୋଗ ମଧ୍ୟ । ଗାଁ ଦାଣ୍ଡରେ ଉଲଗ୍ନ କରାଯାଇଥିବା ଅଭିଯୋଗ ନେଇ ଥାନାକୁ ଆସିଥିବା ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ଆକ୍ରୋଶ ମନୋଭାବରେ ଓଲଟା ସେହି ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରି ଜେଲକୁ ପଠାଇଛନ୍ତି ଜଗଦଲପୁରର ମହିଳା ଥାନା ଅଧିକାରୀ ।
ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗ୍ରାମର ଜଣେ ମହିଳାଙ୍କୁ ସେହି ଗ୍ରାମର ନିରାକାର ବଗର୍ତ୍ତୀ ଓ ଅନ୍ୟ ମାନେ ବସ୍ତ୍ର ହୀନ କରି ଗାଁ ଦାଣ୍ଡରେ ଉଲଗ୍ନ କରିଥିବା ଅଭିଯୋଗ ନେଇ ଆସିଥିଲେ । ହେଲେ ଥାନାଧିକାରୀ ଉଦ୍ଦେଶ୍ୟ ମୂଳକ ଭାବେ ଅଭିଯୋଗକାରୀଙ୍କୁ ନ୍ୟାୟ ଦେବା ବଦଳରେ ଓଲଟା ଅଭିଯୁକ୍ତଙ୍କୁ ସାହାଯ୍ୟ କରି ତାଙ୍କ ସ୍ବାମୀଙ୍କୁ ଗିରଫ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଜଣେ ମହିଳାଙ୍କୁ ବସ୍ତ୍ରହୀନ କରିବା ଭଳି ସଙ୍ଗୀନ ଘଟଣାରେ ମହିଳା ପୋଲିସ ନ୍ୟାୟ ଦେବା ବଦଳରେ ଅନ୍ୟାୟ କରିବା ପୋଲିସ ବିଭାଗ ତଥା ମହିଳା ସମାଜ ପ୍ରତି କଳଙ୍କ ଓ ଲଜ୍ଜାର ବିଷୟ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ