ବରଗଡ଼: ଜିଲ୍ଲାପାଳ ଓ ବରଗଡ଼ CDMO ବିବାଦ ଘଟଣା । ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ପରେ ନିଜର ବୟାନ ବଦଳାଇଲେ ବରଗଡ଼ CDMO । ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ବରଗଡ଼ ଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଥିଲେ ଖୋଦ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ l ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ଚିଠି ମଧ୍ୟ ଲେଖିଥିଲେ । ରାଜ୍ୟ ସରକାରଙ୍କ ଠାରେ ଲିଖିତ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ବଦଳି ପାଇଁ ଦାବି କରିଥିଲେ । ହେଲେ ବର୍ତ୍ତମାନ ବୟାନ ବଦଳାଇ ନିଜର ବଦଳି ପାଇଁ ଲେଖୁଥିଲେ ହେଲେ ଭୁଲରେ ଜିଲ୍ଲାପାଳଙ୍କ ବଦଳି ପାଇଁ ଲେଖିଦେଇଥିବା ସେ କହିଛନ୍ତି l
ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଅଳ୍ପ ଦିନ ହେଉଛି ନୂତନ ଭାବେ ଯୋଗଦେଇଥିବା ବରଗଡ଼ ସିଡିଏମଓ ଡ. ଚାରୁବାଳା ରଥଙ୍କୁ ବିନା ଦୋଷରେ ଜିଲ୍ଲାପାଳ ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ସିଡିଏମଓ ଅଭିଯୋଗ ଆଣିଛନ୍ତି ।
CDMO ଚାରୁବାଳା ରଥଙ୍କ ଅଭିଯୋଗ ଅନୁଯାୟୀ, ଗତ ଜାନୁୟାରୀ ୨୧ ତାରିଖରେ ଏକ ସ୍ଵାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିବା ସମୟରେ ବରଗଡ଼ ଜିଲ୍ଲାପାଳ ତାଙ୍କୁ ଫୋନ ଯୋଗେ ଏକ ଟେଣ୍ଡର ବିଷୟରେ ପଚାରିଥିଲେ । ତେବେ CDMO ଚାରୁବାଳା ରଥ ଏହାର ପ୍ରୋସେସ ଚାଲିଛି ଓ DPMଙ୍କୁ ପଚାରି କହୁଛି ବୋଲି କହିଥିଲେ । ତେବେ ସଙ୍ଗେ ସଙ୍ଗେ ଜିଲ୍ଲାପାଳ ରାଗିଯାଇ ଉଚ୍ଚ ପାଟିରେ ତାଙ୍କୁ ଗାଳି ଦେଇ "ଆପଣ କିଛି ଜାଣି ନାହାଁନ୍ତି ତ ସେହି ଚେୟାରରେ କାହିଁକି ବସିଛ ବୋଲି ତାତ୍ସଲ୍ୟ କରିଥିଲେ ।"
ତେବେ ବରଗଡ଼ରେ ନୂତନ ଭାବେ ଯୋଗଦାନ କରିବାର ମାତ୍ର ଅଳ୍ପ ଦିନ ହୋଇଛି ଏବଂ ବିଭାଗର ସମସ୍ତ ବିଷୟରେ ଭଲ ଭାବେ ଜାଣିନଥିବା ପରିସ୍ଥିତିରେ ଜଣେ ବୟସ୍କା ଅଧିକାରୀଙ୍କୁ ଏପରି ଦୁର୍ବ୍ୟବହାର କରାଯିବା ଘଟଣାକୁ ନେଇ ସେ ମର୍ମାହତ ହୋଇପଡ଼ିଥିବା କହିଛନ୍ତି । ଏନେଇ ସିଡିଏମଓ ଚାରୁବାଲା ରଥ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ । ଅନ୍ୟପଟେ ଜିଲ୍ଲାପାଳଙ୍କ ଏପରି ଦୁର୍ବ୍ୟବହାର ଓ ଅସହଯୋଗ କଥାବାର୍ତ୍ତା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ଲିଖିତ ପତ୍ରରେ ଅନୁରୋଧ କରିଥିଲେ ।
କିନ୍ତୁ CDMOଙ୍କ ବୟାନରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, "ଭୁଲରେ ଜିଲ୍ଲାପାଳଙ୍କ ବଦଳି ପାଇଁ ଲେଖିଦେଇଥିଲି । ପ୍ରକୃତରେ ନିଜେ ନିଜର ଅନ୍ୟତ୍ର ବଦଳି କରାଯାଉ ବୋଲି ଲେଖିବାକୁ ଚାହୁଁଥିଲି । "ତେବେ ଯେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ମାଆଙ୍କୁ ସମ୍ମାନର ନାରା ଦେଉଛନ୍ତି ସେହି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଅଧିକାରୀମାନେ କିପରି ଏହାକୁ ପାଳନ କରୁନାହାନ୍ତି ଏବଂ ଜିଲ୍ଲାପାଳ ଜଣେ ମହିଳା ହୋଇ ମଧ୍ୟ କିପରି ଅନ୍ୟଜଣେ ବୟସ୍କା ମହିଳାଙ୍କ ଉପରେ ଦୁର୍ବ୍ୟବହାର କରିବାକୁ ପଛଘୁଞ୍ଚା ଦେଲେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି l
ଇଟିଭି ଭାରତ, ବରଗଡ଼