ବରଗଡ: ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଲୋକକଳା ମାଧ୍ୟମରେ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ଭାଷାରେ ବିଭିନ୍ନ ଲୋକକଳା ମାଧ୍ୟମରେ ଶ୍ରମିକଙ୍କ ନିକଟରେ କଳାକାର ପହଞ୍ଚି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଶ୍ରମିକଙ୍କୁ ସଚେତନତା କରାଇବା ସହ ସେମାନେ କିପରି ନିଜେ ସ୍ଵାବଲମ୍ବୀ ହେବେ ଏବଂ ଦାଦନ ଖଟିବାକୁ ବାହାରକୁ ନଯିବେ ତାହା ରହିଛି ଆୟୋଜିତ ସଚେତନତା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।
ଯେଉଁ ପରିବାର ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ସେମାନେ ଯେପରି ସ୍ବାବଲମ୍ବୀ ହେବେ ଏବଂ ନିଜେ ରୋଜଗାରକ୍ଷମ ହୋଇପାରିବେ ସେ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି କ୍ରମରେ ବରଗଡ ଜିଲ୍ଲାର 4ଟି ବ୍ଲକରୁ ସର୍ବାଧିକ ଶ୍ରମିକ ଦାଦନ ଖଟି ଯାଉଛନ୍ତି । ସମ୍ପୃକ୍ତ ବ୍ଲକର ବିଡିଓଙ୍କୁ ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଦାୟିତ୍ବ ଦିଆଯାଇଛି । ଜିଲ୍ଲାର କୌଣସି ଶ୍ରମିକ ଯେପରି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ନଯିବେ ଏବଂ ସ୍ବାବଲମ୍ବୀ ହୋଇ ନିଜ ପରିବାର ସହିତ ଖୁସିରେ ଜୀବନ ଯାପନ କରିବେ ସେ ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗୋଟିଏ ପଟେ ରାଜ୍ୟ ସରକାର ରୋଜଗାର ଯୋଗାଇବାରେ ବିଫଳ ହେଉଥିବାରୁ ଶ୍ରମିକ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିଯିବାକୁ ଯାଉଛନ୍ତି । ଦାଦନ ଶ୍ରମିକଙ୍କ ସମସ୍ୟାର ସମାଧାନ ସରକାରଙ୍କ ଏହି ସଚେତନତା କାର୍ଯ୍ୟକ୍ରମ କେତେଦୂର ସଫଳ ହେବ ତାହା ଆଗାମୀ ଦିନରେ ହିଁ ଜଣାପଡିବ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ