ସମ୍ବଲପୁର: ଆଜି(ରବିବାର) ହେଉଛି ବିଶ୍ବ ଘରଚଟିଆ ଦିବସ । ଏହି ଅବସରରେ ଆଜି ସମ୍ବଲପୁର ସିଏସବି ଜିଲ୍ଲା ସ୍କୁଲ ପ୍ରେକ୍ଷାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘରଚଟିଆଙ୍କ ବଂଶ ଲୋପ ପାଉଥିବାବେଳେ ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବାରୋପ କରାଯାଇଛି । ଏଥିଲାଗି ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କୃତ୍ରିମ ଚଢେଇ ବସା ତିଆରି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାସହ ଘରଚଟିଆଙ୍କ ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରାଯାଇଛି ।
ସମ୍ବଲପୁର ଚଢେଇ କ୍ଳବ, ହୀରାକୁଦ ବନ୍ୟପ୍ରାଣୀ ବିଭାଗ, ଓଲ୍ଡ ବଏଜ୍ ଆସୋସିଏସନ ଓ ସିଏସବି ଜିଲ୍ଲା ସ୍କୁଲର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡିଏଫଓ ଅଂଶୁପ୍ରଜ୍ଞା ଦାସ, ସମ୍ବଲପୁର ବନ ବିଭାଗ ଡିଏଫଓ ବିଶ୍ଵନାଥନ ନିଳାମ୍ବରମ, ଚଢେଇ କ୍ଳବର ସଭାପତି ଆଶିଷ ପ୍ରଧାନ, ଚଢେଇ କ୍ଳବ ସଦସ୍ୟ, ଜିଲ୍ଲା ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଏହି ଅବସରରେ ଘରଚଟିଆର ଲୋପ ପାଇବାର କାରଣ, ଏହାକୁ କିପରି ସୁରକ୍ଷା ଦିଆଯାଇପାରିବ ସେନେଇ ଆଲୋଚନା କରାଯିବା ସହ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି । ଏହି ଅବସରରେ ସମ୍ବଲପୁର ଜିଲ୍ଲା ସ୍କୁଲ ପରିସରରେ ଥିବା ବିଭିନ୍ନ ଗଛ ଓ ଘର ଗୁଡ଼ିକରେ କୃତ୍ରିମ ଚଢେଇ ବସାଗୁଡ଼ିକ ଟଙ୍ଗା ଯାଇଥିଲା । ମୁଖ୍ୟତଃ ସମ୍ବଲପୁର ଚଢେଇ କ୍ଲବର ଉଦ୍ୟମରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରଚଟିଆଙ୍କ ପାଇଁ ଏଭଳି କୃତ୍ରିମ ବସା ଟଙ୍ଗାଯିବ ।
ଏହାର ସୁରକ୍ଷା ବନ ବିଭାଗ କରିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ଏହା ସହ ଆଗାମୀ ଦିନରେ ଘରଚଟିଆ ମାନଙ୍କ ସୁରକ୍ଷା ପାଇଁ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ର ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଚେତନତା କରାଯିବ ବୋଲି ସୂଚନା ଦିଆଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ