ବରଗଡ:ଗରିବ, ନିଷ୍ପେସିତ, ଅବହେଳିତ ଓ ଅସହାୟଙ୍କ ଘରର ଆଶାର ଦୀପ ସାଜିଛନ୍ତି ଦୀପା । ବରଗଡ଼ର ଟ୍ବିଟର ଗାର୍ଲ ଦୀପା ବାରିକ । ପଦ୍ମପୁର ପାଇକମାଲ ବ୍ଲକର ବଣ ପାହାଡ଼ ଘେରା ଉପାନ୍ତ ଇଲାକାର ଛୋଟିଆ ଗାଁ ଟେମରୀରେ ଜନ୍ମ । ଝିଅଟି ସାଧାରଣ ହେଲେ ତାଙ୍କ କାମ କିନ୍ତୁ ଅସାଧାରଣ । ଗରିବଙ୍କ ହକ୍ ପାଇଁ କରୁଛନ୍ତି ଲଢେଇ । ଆଉ ଏବେ ପର୍ଯ୍ୟନ୍ତ 3 ହଜାରରୁ ଅଧିକ ସମସ୍ୟାର ସମାଧାନ ମଧ୍ୟ କରି ସାରିଲେଣି। ଏଥିପାଇଁ ଟ୍ବିଟରକୁ କରିଛନ୍ତି ପ୍ରମୁଖ ଅସ୍ତ୍ର । ବିଧବା, ଅନାଥଠୁ ଆରମ୍ଭ କରି ବିଦ୍ୟୁତ ସଂଯୋଗ ସମସ୍ୟାର ସମାଧାନ କରୁଛନ୍ତି କେବଳ ଗୋଟିଏ ଟ୍ବିଟ ଯୋଗେ । ଆଉ ଏଥିପାଇଁ ଗାଁଠୁ ସହର ଏବେ ଦୀପାଙ୍କ ନାଁକୁ ନେଇ ବେଶ ଚର୍ଚ୍ଚା । ପ୍ରାୟ 10,000ରୁ ଅଧିକ ଟ୍ବିଟ କରି ସାରିଥିବାବେଳେ ଆଜି ପର୍ଯ୍ୟନ୍ତ ପ୍ରାୟ 3000ରୁ ଅଧିକ ସମସ୍ୟାର ସମାଧାନ ହୋଇସାରିଲାଣି । ଖାଲି ବରଗଡ ନୁହେଁ ବଲାଙ୍ଗୀର, କୋରାପୁଟ, ରାୟଗଡା, ବୌଦ୍ଧ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଅନେକ ସମସ୍ୟାର ସମାଧାନ କରିପାରିଛନ୍ତି ଦୀପା । ଆଉ ଏଥିପାଇଁ ସରକାରଙ୍କ 5ଟି ଯୋଜନାର ସଠିକ ବ୍ୟବହାର କରନ୍ତି ବୋଲି କହିଛନ୍ତି 25 ବର୍ଷୀୟ ଦୀପା ।
ଜନ୍ମଦିନରେ ବାପାଙ୍କଠୁ ପାଇଥିଲେ ଏକ ଆଣ୍ଡ୍ରଏଡ ଫୋନ । ଆଉ ସେହି ଫୋନରୁ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଆରମ୍ଭ କରିଦେଇଥିଲେ ସଂଗ୍ରାମ । ରାତି ପାହିଲେ ଲୋକଙ୍କ ଭିଡ଼ ଜମୁଛି ଦୀପାଙ୍କ ଘରେ । ଲୋକେ ପହଞ୍ଚୁଛନ୍ତି ନିଜ ନିଜର ସମସ୍ୟା ନେଇ । ଆଉ ତା ପରେ ମୋବାଇଲରେ ଟ୍ବିଟ କରନ୍ତି ଦୀପା । ପ୍ରାୟ 24 ଘଣ୍ଟା ଭିତରେ ହିଁ ସରକାରଙ୍କ ସୁପରିଚାଳିତ ଅଭିଯୋଗ ପ୍ରକୋଷ୍ଠରୁ ଗୁରୁତର ସହ ସମସ୍ୟା ସମାଧାନ ପଥ ପ୍ରସ୍ତୁତ ହୁଏ । ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଏପରି ଇ-ଅଭିଯୋଗ ଶୁଣିବା ଓ ସଙ୍ଗେ ସଙ୍ଗେ ଓଡିଶାବାସୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିମୁହୂର୍ତ୍ତରେ ସେବା ଯୋଗାଇବା ବ୍ୟବସ୍ଥାକୁ ବେଶ ପ୍ରଶଂସା କରିଛନ୍ତି ଦୀପା । ଲୋକଙ୍କ ଆଲୋଚନା ସମାଲୋଚନାକୁ ଖାତିର ନ କରି ସେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ହେଉ କି ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ଶୁଣାଣି ପ୍ରକୋଷ୍ଠ ହେଉ, ଲୋକଙ୍କ ସମସ୍ୟାର ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି ଦୀପା ।
ଉପାନ୍ତ ଇଲାକାର ଦୀପା ବାରିକ ବର୍ତ୍ତମାନ ଓଡିଶା ସରକାର ତଥା ଜିଲ୍ଲା ପ୍ରଶାସନ ନିକଟରେ ଏକ ପରିଚିତ ନାଁ । ଜଙ୍ଗଲ ଘେରା ଛୋଟିଆ ଗାଁରୁ ଲୋକଙ୍କ ମଙ୍ଗଳ ନିମନ୍ତେ ଆଗେଇ ଆସିଥିବା ଦୀପାଙ୍କ ପାଇଁ ବହୁ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ତାଙ୍କର ଏଭଳି ସମାଜସେବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ