ବରଗଡ: ରବି ଋତୁର ଧାନ ସଂଗ୍ରହ ପାଇଁ ଗୁରୁବାର ଜିଲ୍ଲାରେ ଭିଡିଓ କନଫେରେନ୍ସିଂ ଜରିଆରେ ଧାନ ସଂଗ୍ରହ ପ୍ରକ୍ରିୟାର ଜିଲ୍ଲାସ୍ତରୀୟ ବୈଠକ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକମାନଙ୍କରେ ଚାଷୀମାନେ ଉପସ୍ଥିତ ଥିବା ବେଳେ ବରଗଡ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସ ହଲରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସମେତ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ସାଂସଦ ସୁରେଶ ପୁଜାରୀ ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା ।
ଆସନ୍ତା ମେ ମାସର ପ୍ରଥମ ସପ୍ତାହରୁ ରବି ଋତୁର ଧାନ ସଂଗ୍ରହ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ଧାନ ମଣ୍ଡି ଖୋଲାଯିବ । ଏଥିସହିତ ପ୍ରତ୍ୟେକ ମଣ୍ଡିରେ ଦିନକୁ କେବଳ 30ଜଣ ଚାଷୀ ଧାନ ବିକ୍ରି କରିପାରିବେ । ଜୁନ 15 ସୁଦ୍ଧା ରବି ଋତୁର ସମସ୍ତ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଧାନ ଅମଳ ସମୟରେ ବିଭିନ୍ନ ରାଜ୍ୟରୁ ଶ୍ରମିକ ଓ ଧାନ କଟା ମେସିନର ଡ୍ରାଇଭରମାନଙ୍କ ସୁଅ ଛୁଟିଥାଏ । ମାତ୍ର ଚଳିତ ଥର ଜିଲ୍ଲାକୁ ଅନ୍ୟ ରାଜ୍ୟରୁ କେହି ପ୍ରବେଶ କରିପାରିବେ ନାହିଁ ଓ କେବଳ ରାଜ୍ୟ ଭିତରେ ଥିବା ଅନ୍ୟ ଜିଲ୍ଲାର ଶ୍ରମିକମାନେ ଯିବା ଆସିବା କରିପାରିବେ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଜଣାଇଛନ୍ତି । ଅନ୍ୟପଟେ ବହୁ ଚାଷୀ ଲକଡାଉନ କାରଣରୁ ତାଙ୍କର ପଞ୍ଜୀକରଣ କରିପାରିନଥିବା ଯୋଗୁଁ ଚାଷୀଙ୍କ ପଞ୍ଜୀକରଣର ସମୟସୀମାକୁ ବଢାଇବା ପାଇଁ ଦାବି କରିଥିଲେ ଚାଷୀଗଣ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ