ବରଗଡ: କିଡନୀ ରୋଗରେ ଆକ୍ରାନ୍ତ କୁନିଝିଅ । ବୟସ ମୋଟେ 3 ବର୍ଷ । ଜୀବନ କ'ଣ ବୁଝିବା ଆଗରୁ ଜୀବନ ସାଙ୍ଗରେ କରୁଛି ସଂଘର୍ଷ । ଯେଉଁ ବୟସରେ ହସିଖେଳି ବୁଲିବା କଥା ସେ ବୟସରେ ଯୁଝୁଛି କିଡନୀ ରୋଗ ସହିତ । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଗାଇସିଲଟ ବ୍ଲକ ଅନ୍ତର୍ଗତ ବଇଦପାଲି ଗାଁର ଲକ୍ଷ୍ମଣ ସାହୁଙ୍କ ଝିଅ ଦିବ୍ୟାଙ୍କ କ୍ଷେତ୍ରରେ । ଗରିବ ହୋଇଥିବାରୁ ଝିଅର ଚିକିତ୍ସା କରିବାରେ ବିଫଳ ହୋଇଛନ୍ତି ବାପାମାଆ । ତେଣୁ ନିଜର ତିନି ବର୍ଷୀୟ କୁନି ଝିଅର ଚିକିତ୍ସା ପାଇଁ ଲୋକଙ୍କୁ ସହାୟତା ମାଗି ବୁଲୁଛନ୍ତି ।
ବଇଦପାଲି ଗ୍ରାମର ଲକ୍ଷ୍ମଣ ସାହୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଥିବା ଏକ ସୂତାକଳରେ ଶ୍ରମିକ ଭାବରେ କାମ କରନ୍ତି । ସେଠାରେ ତାଙ୍କ ଝିଅ ଦିବ୍ୟାକୁ ୩ ବର୍ଷ ବୟସରେ ଦେଖାଦେଲା କିଡ଼ନୀ ସମସ୍ୟା । ଝିଅର ମୁହଁ ଓ ପେଟ ଅସ୍ବାଭାବିକ ଭାବେ ଫୁଲିବାକୁ ଲାଗିଥିଲା । ଏହାପରେ ଲକ୍ଷ୍ମଣ ଗୁଣ୍ଟୁରର ଏକ ଡାକ୍ତରଖାନାରେ ଝିଅର ଚିକିତ୍ସା କରାଇଥିଲେ । ନିଜ ଝିଅର ଚିକିତ୍ସାରେ ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ଦେଇଥିଲେ । ଏହାପରେ ଅଧିକ ଟଙ୍କା ଆବଶ୍ୟକ ହେବାରୁ ତଥା ରହୁଥିବା ଅଞ୍ଚଳରେ ପାଣିର ସମସ୍ୟା ଥିବା କାରଣରୁ ସେ ଗାଁକୁ ଚାଲି ଆସିଥିଲେ ।
ବର୍ତ୍ତମାନ ଲକ୍ଷ୍ମଣ ଦିନମଜୁରିଆ ଭାବରେ କାମ କରୁଥିବା ବେଳେ ଝିଅର ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ସ୍ଥାନକୁ ଯାଇ ସହାୟତା ଭିକ୍ଷା କରୁଛନ୍ତି । ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦୁଇ ଦୁଇ ଥର ଗୁହାରୀ କରିଥିଲେ ମଧ୍ୟ ଫଳାଫଳ ଶୂନ । ଯଦି ସହୃଦୟ ବ୍ୟକ୍ତି ଆର୍ଥିକ ସହାୟତା ପ୍ରଦାନ କରନ୍ତି, ତାଙ୍କ କୁନି ଝିଅର ଜୀବନ ବଞ୍ଚିଯିବ ବୋଲି ଲକ୍ଷ୍ମଣ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଆର୍ଥିକ ସାହାଯ୍ୟର ହାତ ବଢ଼ାଇବାକୁ ଇଚ୍ଛୁକ ସହୃଦୟ ବ୍ୟକ୍ତି, କୁନି ଝିଅ ବିଦ୍ୟାଙ୍କ ମା ଆସନ୍ତି ସାହୁଙ୍କ ବ୍ୟାଙ୍କ ଖାତା ନମ୍ବରରେ ସିଧାସଳଖ ଅର୍ଥ ଜମା କରିପାରିବେ । ବ୍ୟାଙ୍କ ଖାତାର ବିବରଣୀ ହେଉଛି, ଗାଇସିଲେଟ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ, ଆକାଉଣ୍ଟ ନମ୍ବର-35413387808, IFSC code- SBIN0013622।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ