ବରଗଡ଼: ଟୋକନ ବ୍ୟବସ୍ଥାକୁ ନେଇ ବରଗଡ ଜିଲ୍ଲାରେ ତୀବ୍ର ହେଉଛି ଚାଷୀଙ୍କ ଆନ୍ଦୋଳନ | ଚାଷୀମାନେ ବାରମ୍ବାର ଟୋକନ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଦାବି କରିଆସୁଥିବା ବେଳେ ସରକାର ଟୋକନ ଲାଗୁ କରିବା ପାଇଁ ଅଟଳ | ଫଳରେ ବୁଧବାର ଅତାବିରା ବ୍ଲକର ଚାଷୀମାନେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ଯାହାକି ଶାନ୍ତିପୂର୍ଣ ଭାବେ ସଫଳ ହୋଇଛି |
ଅତାବିରା ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ଦୋକାନ ବଜାର ଗୁଡିକ ମଧ୍ୟ ବନ୍ଦ ଥିଲା | ଶୀଘ୍ର ସରକାର ଟୋକନ ବ୍ୟବସ୍ଥା ନହଟାଇଲେ ରାଜରାସ୍ତାରେ ଚାଷୀ ନିଜର ଧାନ ପକାଇ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଥଇଲେ ସରକାରଙ୍କୁ | ଚଳିତ ଖରିଫ ଫସଲରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର କରିଥିବା ଟୋକନ ବ୍ୟବସ୍ଥାକୁ ଚାଷୀ ମାନେ ସହଜରେ ଗ୍ରହଣ କରିପାରୁନାହାଁନ୍ତି | ମଙ୍ଗଳବାର ଚାଷୀଙ୍କ ସହିତ ଅଞ୍ଚଳର ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଆଜି ଅତାବିରା ଅଞ୍ଚଳର ଚାଷୀ ମାନେ ୧୨ ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦେଇଥିଲେ । ଯାହାକୁ ସେହି ଅଞ୍ଚଳର ବଣିକ ସଂଘ ଓ ଜନସାଧାରଣ ମଧ୍ୟ ସମର୍ଥନ ଜଣାଇ ଲୋକେ ସ୍ଵଇଚ୍ଛାରେ ଚାଷୀଙ୍କ ବନ୍ଦ ଡାକରାକୁ ସଫଳ କରିବାରେ ସାହାଜ୍ୟ କରିଥିଲେ |
ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଅତାବିରା ବ୍ଲକ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଆସନ୍ତାକାଲି ମଧ୍ୟ ଚାଷୀ ତାର ଆନ୍ଦୋଳନ ଜାରି ରଖିବ । ଏହାସହ ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଥିବା ଜଣାପଡିଛି | ବିଧାନସଭାରେ ଅଧିବେଶନ ଚାଲିଥିବା ବେଳେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ନିଜ ଅଞ୍ଚଳକୁ ଫେରି ଚାଷୀଙ୍କ ସହିତ ଆଲୋଚନା କରି ଚାଷୀଙ୍କୁ ଶାନ୍ତ କରିବା ପାଇଁ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଦେଇଥିଲେ । ପରେ ଉଭୟେ ଫେରି ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ହେଲେ ଏଥିରେ ବରଗଡ ବିଧାୟକ ସଫଳ ହୋଇଥିଲେ ଏବଂ ବରଗଡରେ ଚାଷୀଙ୍କ ଆନ୍ଦୋଳନ ଥମିଯାଇଥିଲା ।
ଏଥିରେ କିନ୍ତୁ ବିଧାୟିକା ସ୍ନେହାଙ୍ଗିନୀ ଛୁରୀୟା ବିଫଳ ହୋଇଥିଲେ । ଅତାବିରା ଅଞ୍ଚଳରେ ଆନ୍ଦୋଳନ ବ୍ୟାପୀ ଉଗ୍ରରୂପ ନେଇଛି | ତେବେ ଉଭୟ ଅଞ୍ଚଳରେ ସମାନ ପରିସ୍ଥିତି ରହିଥିବା ବେଳେ ବରଗଡ ବିଧାୟକ ପରୀକ୍ଷାରେ ପାସ ହୋଇଛନ୍ତି ଏବଂ ଅତାବିରା ବିଧାୟିକା ପରୀକ୍ଷାରେ ଫେଲ ହୋଇଯାଇଥିବା ଚର୍ଚ୍ଚା ଚାଲିଛି |
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ