ବାଲେଶ୍ବର : ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାତ୍ୟା ସ୍ଥିତି ସମୀକ୍ଷା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ଅଞ୍ଚଳର ସମସ୍ୟା କଥା କହିଛନ୍ତି । ବାତ୍ୟା ପରେ ଲୋକଙ୍କ ଘରେ ପାଣି ପଶିବା ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି। ନଦୀବନ୍ଧ ଦୁର୍ବଳ ଯୋଗୁଁ ବନ୍ଧ ଭାଙ୍ଗି ଲୁଣାପାଣି ମାଡି ଚାଷଜମି ନଷ୍ଟ ହୋଇଯାଇଛି। ବିପନ୍ନଙ୍କ ପାଖରେ କେହି ପଲିଥିନ ଖଣ୍ଡେ ଦେଇ ନଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ ଆଣିଛନ୍ତି।
ଏବେ ସୁଦ୍ଧା ଅନେକ ଲୋକ ବସୁନ୍ଧରା ଯୋଜନାରେ ସାମିଲ ହୋଇ ନଥିବାରୁ ସେମାନେ ଘରଟିଏ କରି ପାରୁ ନାହାଁନ୍ତି । ଏଥିପାଇଁ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଜମିପଟ୍ଟା ପ୍ରଦାନ କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରତାପ । ବାତ୍ୟା ପରେ ଏବେ ଲୋକେ ସଡ଼କରେ ଶୋଇଥିବା ଦେଖିବାକୁ ମିଳିଥିଲା। ବାତ୍ୟା ବନ୍ୟାର ସ୍ଥାୟୀ ପ୍ରତିକାର କରିବା ପାଇଁ ଉତ୍ତମ ଇଞ୍ଜିନିୟରଙ୍କୁ ଆଣି କାର୍ଯ୍ୟ ତ୍ବାରାନ୍ବିତ କରାଯିବା ସହ ଗାଁ ଗହଳି ରାସ୍ତାକୁ ମଜବୁତ ଭାବେ ତିଆରି କରିବା ପାଇଁ ଦାବି କରିଛନ୍ତି ମନ୍ତ୍ରୀ ।
ସେହିପରି ଗାଈ ଗୋରୁଙ୍କୁ ଗୋଖାଦ୍ୟ ଏବେ ଯୋଗାଇ ଦିଆଯାଉ। ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଯୋଗୁଁ ଲୋକେ ଅନେକ ଅସୁବିଧା ଭୋଗୁଛନ୍ତି। ବିଦ୍ୟୁତ ମରାମତି କାର୍ଯ୍ୟ ମନ୍ଥର ଗତିରେ ନକରି ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବା। ସ୍ବତନ୍ତ୍ର ଟିମ କରି ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନକୁ ଯାଇ ଜଳ ନିଷ୍କାସନ ପଥ ଖୋଲିଲେ ଲୋକେ ଭଲରେ ରହି ପାରନ୍ତେ । ଅନେକ ସ୍ଥାନରେ ଜଳ ଅବରୋଧ କରି ରଖା ଯାଇଥିବାବେଳେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବାରୁ ଲୋକେ ଜଳବନ୍ଦୀ ଭିତରେ ରହୁଛନ୍ତି। ତୁରନ୍ତ ସ୍ଥାୟୀ ଭିତ୍ତିଭୂମି, ସବୁ ଲୋକଙ୍କୁ ପକ୍କାଘର, ବାତ୍ୟା ଆଶ୍ରୟସ୍ଥଳୀ ବୃଦ୍ଧି କରିବା, ମେଡିକାଲ ଟିମ ପଠାଇ କୋଭିଡ ପରୀକ୍ଷା କରିବା ଭଳି ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ