ବାଲେଶ୍ବର: ବୃଦ୍ଧା ମାଆର ମୃତ୍ୟୁ ପରେ ମୃତଦେହକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଟଣାଓଟରା । ମାଆର ମୃତଦେହ ବ୍ୟବଚ୍ଛେଦ ନକରାଇ ହସ୍ପିଟାଲରୁ ନେଇଗଲା ସାନଭାଇ । ହେଲେ ବଡ଼ ଭାଇ ମାଆକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଦାବି କରିବାରୁ ବିବାଦ ସୃଷ୍ଟି ହୋଇଛି । ଯେଉଁଥିପାଇଁ ବୃଦ୍ଧା ମାଆର ମୃତଦେହ ବ୍ୟବଚ୍ଛେଦ ନହୋଇପାରି ୨୪ ଘଣ୍ଟା ହେଲା ପଡ଼ି ରହିଛି । ଆଜି ଏମିତି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ମେଡିକାଲ ପରିସରରେ । ମୃତ ବୃଦ୍ଧା ହେଉଛନ୍ତି ମାଳତୀ ବାରିକ ।
ମିଳିଥିବା ସୂଚନା ଅନୁସାରେ, ସୋର ଥାନା ବାଳଙ୍ଗ ପଞ୍ଚାୟତ ସିମୁଳିଆ ଗ୍ରାମରେ ମାଳତୀ ବାରିକଙ୍କ ଘର । ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ନନ୍ଦକିଶୋର ବାରିକ ଘରଠାରୁ ଅଲଗା ହୋଇ ଅନ୍ୟତ୍ର ରହୁଥିଲେ । ଯାହାଫଳରେ ମାଳତୀ ଦୀର୍ଘ ବର୍ଷ ଧରି ସାନ ପୁଅ ଗୋବିନ୍ଦ ବାରିକ ପାଖରେ ରହିଆସୁଥିଲେ । କାଲି ସକାଳେ ବୃଦ୍ଧା ଘର ପାଖରେ ଚଲାବୁଲା କରୁଥିବା ବେଳେ ହଠାତ୍ ତଳେ ପଡ଼ି ଯାଇଥିଲେ । ଏହା ଦେଖି ତାଙ୍କର ସାନ ବୋହୁ ସଙ୍ଗେସଙ୍ଗେ ଅଟୋ ଡକାଇ ସୋର ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ମାଳତୀଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ବୃଦ୍ଧାଙ୍କ ମୃତଦେହ ବ୍ୟବଚ୍ଛେଦ ନକରାଇ ଘରକୁ ନେଇଯାଇଥିଲେ ।
ଏ ବାବଦରେ ବଡ଼ ପୁଅ ନନ୍ଦକିଶୋର ଜାଣିବା ପରେ ତାଙ୍କ ମାଆକୁ ହତ୍ୟା କରାଯାଇଥିବାର ଅଭିଯୋଗ କରିଥିଲେ ଓ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁନଶ୍ଚ ସୋର ଡାକ୍ତରଖାନାରେ ପହଞ୍ଚିଥିଲେ । କିନ୍ତୁ ଡାକ୍ତର ପ୍ରଥମ ପର୍ଯ୍ୟାୟରେ ମୃତଦେହର ବ୍ୟବଚ୍ଛେଦ କରାଯିବ ନାହିଁ ବୋଲି ମନା କରିବାରୁ ନନ୍ଦକିଶୋର ଅସନ୍ତୋଷ ପ୍ରକାଶ କରିଥିଲେ । ଏନେଇ ସେ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିଥିବା ଜଣାପଡିଛି । ତେବେ ଦୁଇ ପୁଅଙ୍କ ମଧ୍ୟରେ ମାଆର ମୃତଦେହକୁ ନେଇ ଏମିତି ବିବାଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହା ମଧ୍ୟ ପଢନ୍ତୁ: ଘର ସଫା କରିବାକୁ କହିବାରୁ ସ୍ବାମୀଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଲେ ମହିଳା, ଥାନାରେ ମାମଲା
ଇଟିଭି ଭାରତ, ବାଲେଶ୍ବର