ବାଲେଶ୍ଵର: ଫକୀରମୋହନ ୟୁନିଭରସିଟିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । କୋର୍ସ ଫି ଛାଡ଼ ଦାବିରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୋରୋନା ସମୟରେ ବହୁଦିନ ଧରି କଲେଜ ବନ୍ଦ ରହିଥିବାରୁ କୋର୍ସ ଫି ହ୍ରାସ କରାଯାଉ ବୋଲି କଲେଜର ସମନ୍ବିତ ବିଇଡି ଛାତ୍ରଛାତ୍ରୀ କହିଛନ୍ତି ।
ତେବେ ମହାମାରୀ କୋରୋନାର ପ୍ରଭାବ ସବୁଠି ପଡି ଥିବାବେଳେ ଶିକ୍ଷାନୁଷ୍ଠାନରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ସବୁକିଛି ଧିରେ ଧିରେ କାର୍ଯ୍ୟକ୍ଷମ ହେଉଥିଲେ ମଧ୍ୟ ଏଯାବତ୍ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ଷମ ହୋଇପାରିନାହିଁ । ମାତ୍ର ଏହାରି ମଧ୍ୟରେ ଆସନ୍ତା 8 ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ କିନ୍ତୁ ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ସମ୍ପୂର୍ଣ୍ଣ କୋର୍ସ ଫି ଦେବାକୁ ନାରାଜ ଛାତ୍ରଛାତ୍ରୀ ।
କୋରୋନା କାରଣରୁ ଅନେକ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ସମୟରେ ପୁରା କୋର୍ସ ଫି ଦେବା ପିଲାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇ ପଡୁଥିବା ଫକୀରମୋହନ କଲେଜର ବିଇଡି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶିକ୍ଷାଦାନ ପାଇଁ ଆବଶକୀୟ ଶିକ୍ଷକ ନାହାନ୍ତି, ଫଳରେ ବାହାର ଶିକ୍ଷକ ଆସି ପାଠ ପଢ଼ାଉଛନ୍ତି । ଆବଶ୍ୟକୀୟ ଶିକ୍ଷକ ପଦବୀ ପୂରଣ ସହ କୋର୍ସ ଫି ଅଧା କରିବା ପାଇଁ ବିକ୍ଷୋଭରତ ଛାତ୍ରଛାତ୍ରୀ ଦାବି କରିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ