ବାଲେଶ୍ଵର: ପଥର ମାଫିଆଙ୍କ ଗୁଣ୍ଡାରାଜ । ନୀଳଗିରି ତହସିଲ ଅଧିନ ବାଘମରା ଗାଁରେ ଆରଆଇଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଏହି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି । ତିନି ଦିନ ପୂର୍ବରୁ ବାଘମରା ନିକଟରେ ପଥର ମାଫିଆ ବେଆଇନ ବିସ୍ଫୋରଣ କରିଥିଲେ । ଏନେଇ ଖବର ପାଇ ସଜନାଗଡ଼ ତହସିଲଦାର ଆରଆଇଙ୍କୁ ଘଟଣାସ୍ଥଳକୁ ତଦନ୍ତ ପାଇଁ ପଠାଇଥିଲେ ।
ତେବେ ତଦନ୍ତ ପାଇଁ ଯାଇଥିବା ଆରଆଇ କେ.ସନ୍ତୋଷ କୁମାର ସେଠାରେ ପହଁଞ୍ଚିବା ପରେ ଖଣି ମାଫିଆଙ୍କ ସହିତ ତାଙ୍କର ବିବାଦ ହୋଇଥିଲା । ବେଆଇନ ଖଣି ଚଲାଉଥିବା ବାପପୁଅ ତଥା ବିଶ୍ଵନାଥ ଦାଶ ଓ ବିଶ୍ୱଜିତ ଦାସ ମିଶି ଆରଆଇଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କୁ ଲୁହା ରଡରେ ଗୋଡ଼ାଇ ଗୋଡ଼ାଇ ବାଡେଇ ଥିବା ଅଭିଯୋଗ ହୋଇଛି । ଏହା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି ପଥର ମାଫିଆ ।
ତେବେ ଘଟଣା ବାବଦରେ ଆରଆଇ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ତାଙ୍କୁ ଆକ୍ରମଣ କରିବା ସହିତ ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୋବାଇଲ ଭାଙ୍ଗି ଦିଆଯାଇଥିବା ବେଳେ ତାଙ୍କ ପର୍ସ ଓ ସେଥିରେ ଥିବା 4000 ଟଙ୍କା ନେଇଯାଇଥିବା ପଥର ମାଫିଆଙ୍କ ବିରୋଧରେ ଏତଲା ଦେଇଛନ୍ତି ।
ଇଟିଭି ଭାରତ, ବାଲେଶ୍ବର