ବାଲେଶ୍ବର: ଜନତାଙ୍କ ସୁଖଦୁଃଖରେ ସାଥୀ ହୋଇ ରହିବା ଜନ ପ୍ରତିନିଧିଙ୍କ କାର୍ଯ୍ୟ । ପ୍ରଶାସନ ସହ ଲଢ଼େଇ କରି ନିଜ ଅଞ୍ଚଳର ବହୁବିଧ ସମସ୍ୟାର ସମାଧାନ ଜନପ୍ରତିନିଧିଙ୍କ ଲକ୍ଷ୍ୟ ହେବା କଥା । ବିଧାୟକ ହୋଇ ବିଧାନସଭାରେ ନିଜ ଅଞ୍ଚଳର ସମସ୍ୟା ଓ ଲୋକଙ୍କ ହିତସାଧନ ସମ୍ପର୍କରେ କାର୍ଯ୍ଯ କରିବା ସେମାନଙ୍କ ପ୍ରଧାନ ଦାୟିତ୍ବ ହେବା କଥା। ମାତ୍ର କେତେ ଦାୟିତ୍ବ ସମ୍ପର୍ଣ୍ଣ ପ୍ରତିନିଧି ତାହା ସେମାନଙ୍କ ରିପୋର୍ଟ କାର୍ଡ ଓଲଟାଇଲେ ଜଣା ପଡିଯାଏ । ସୂଚନା ଅଧିକାର ନିୟମ ବଳରେ ମିଳିଥିବା ତଥ୍ୟ ବାଲେଶ୍ୱର ଜିଲ୍ଲାର 8ଜଣ ବିଧାୟକଙ୍କ ପୋଲ୍ ଖୋଲିଛି । ରିପୋର୍ଟରେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ କୌଣସି ସ୍ବତନ୍ତ୍ର ବିଲ୍ ବିଧାନସଭାରେ ଆଗତ କରି ନଥିବା ଜଣାପଡିଛି ।
ବାଲେଶ୍ବର ଜିଲ୍ଲାରେ 8ଟି ନିର୍ବାଚନ ମଣ୍ଡଳୀ ଓ 12ଟି ବ୍ଲକ ରହିଛି । 360ଟି ପଞ୍ଚାୟତ ଓ 2965ଟି ଗ୍ରାମକୁ ନେଇ ବାଲେଶ୍ବର ଜିଲ୍ଲା ଗଠିତ । ସବୁ ଗ୍ରାମରେ କିଛି ନା କିଛି ଛୋଟବଡ଼ ସମସ୍ୟା ରହିଛି। ସେସବୁ ସମସ୍ୟା ବିଧାନ ସଭାରେ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥାପନ କରିବା ସହ ଲୋକଙ୍କ ସମସ୍ୟା ଦୂର କରିବେ ବୋଲି ଭୋଟରମାନେ ଅନେକ ଆଶା ରଖି 5ବର୍ଷରେ ଥରେ ପ୍ରତିନିଧି ବାଛି ଥାନ୍ତି । ମାତ୍ର ପ୍ରତିନିଧିମାନେ ସଠିକ ଭାବେ ସେମାନଙ୍କ ଦାୟିତ୍ବ ତୁଲାଇ ନଥିବା ଅଭିଯୋଗ ହୋଇଛି।
ସୂଚନା ଅଧିକାର ନିୟମ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ବାଲେଶ୍ଵରର 8ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ 2014 ନିର୍ବାଚନରେ 7ଟି ନିର୍ବାଚନ ମଣ୍ଡଳୀ ବିଜେଡି ଅଧିକାର କରିଥିଲା । 2014ରୁ 19 ଭିତରେ 15ଟି ବିଧାନ ସଭା ଅଧିବେଶନ ବସିଥିବା ବେଳେ 250ରୁ ଅଧିକ ଦିନ ବିଧାନସଭା ଚାଲିଥିଲା । ସେଥିରେ ଜଳେଶ୍ବର ନିର୍ବାଚନ ମଣ୍ଡଳୀର ବିଧାୟକ ଅଶ୍ବିନୀ ପାତ୍ର ବିଗତ 5 ବର୍ଷ ଭିତରେ 1561ଟି ପ୍ରଶ୍ନ ବିଧାନସଭାରେ ଉପସ୍ଥାପନ କରିଥିବା ବେଳେ ଗୋଟିଏ ମାତ୍ର ସ୍ବତନ୍ତ୍ର ପ୍ରଶ୍ନ ରଖିଛନ୍ତି । ତାଙ୍କର ବିଧାନ ସଭାରେ 98 ପ୍ରତିଶତ ଉପସ୍ଥାନ ରହିଥିବ ଜଣାପଡିଛି।
ସେହିପରି ଭୋଗରାଇ ବିଧାୟକ ତଥା ଶିଳ୍ପ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ 91 ପ୍ରତିଶତ ଉପସ୍ଥିତ ରହିଥିବା ବେଳେ ମାତ୍ର 8 ଟି ପ୍ରଶ୍ନ ପଚାରିଛନ୍ତି । ଏହାଛଡା ଅନନ୍ତ ଦାସ 5ଟି ସ୍ବତନ୍ତ୍ର ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ସେହିପରି ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ସମୁଦାୟ 74ଟି ପ୍ରଶ୍ନ ରଖିଥିବା ବେଳେ କୌଣସି ସ୍ବତନ୍ତ୍ର ପ୍ରଶ୍ନ ଉପସ୍ଥାପନ କରିନାହାଁନ୍ତି । ତାଙ୍କର ବିଧାନ ସଭାରେ 96 ପ୍ରତିଶତ ଉପସ୍ଥିତି ରହିଥିବା ଜଣାପଡିଛି । ଅନ୍ୟପଟେ ବାଲେଶ୍ବର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ 94 ପ୍ରତିଶତ ବିଧାନ ସଭାରେ ଉପସ୍ଥିତ ଥିବା ବେଳେ ସମୁଦାୟ 52ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ମେଡିକାଲ କଲେଜ ସମ୍ପର୍କୀୟ ଗୋଟିଏ ପ୍ରଶ୍ନ ସେ ସ୍ବତନ୍ତ୍ର ଭାବେ ପଚାରିଥିବା ଜଣାପଡିଛି ।
ରେମୁଣା ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ 97 ପ୍ରତିଶତ ଉପସ୍ଥିତ ଥିବା ବେଳେ ନିଜ ଅଞ୍ଚଳ ବିଷୟରେ 235ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି । କୌଣସି ଗୋଟିଏ ବି ସ୍ବତନ୍ତ୍ର ପ୍ରଶ୍ନ ସେ 5 ବର୍ଷ ଭିତରେ ରଖିନାହଁନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ରିପୋର୍ଟ କାର୍ଡ଼ ଦେଖିବାକୁ ଗଲେ ସେ 98 ପ୍ରତିଶତ ଉପସ୍ଥିତ ଥିବା ବେଳେ 162ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ଗୋଟିଏ ବି ସ୍ବତନ୍ତ୍ର ପ୍ରଶ୍ନ କରିନାହାନ୍ତି । ସୋର ବିଧାୟକ ପର୍ଶୁରାମ ଧଡା 99 ପ୍ରତିଶତ ବିଧାନସଭାରେ ଉପସ୍ଥିତି ରହିଥିବା ବେଳେ 5 ବର୍ଷରେ 99ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି । କୌଣସି ସ୍ବତନ୍ତ୍ର ପ୍ରଶ୍ନ ମଧ୍ୟ ସେ ପଚାରି ନାହାଁନ୍ତି । ସିମୁଳିଆର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିଧାନସଭାରେ 98 ପ୍ରତିଶତ ରହିଥିବା ବେଳେ ସେ ମାତ୍ର 52ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ଗୋଟିଏ ବି ସ୍ବତନ୍ତ୍ର ପ୍ରଶ୍ନ ଉପସ୍ଥାପନ କରିଅନାହାଁନ୍ତି ଜ୍ୟୋତିପ୍ରକାଶ
ଏହାବ୍ୟତୀତ ବାଲେଶ୍ଵରର 8ଜଣ ବିଧାୟକ ଗୋଟିଏ ବି ବିଲ ଗୃହରେ ଆଗତ କରି ନଥିବା ଜଣାପଡିଛି । ଅଧିକ ପ୍ରଶ୍ନ ପଚାରିଥିବା ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ରଙ୍କୁ ବିଜେଡି ପୁଣି ଥରେ ଟିକେଟ ଦେଇଛି । ଆଗାମୀ ନିର୍ବାଚନ ପାଇଁ 8ଜଣ ବିଧାୟକ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏଥର ବିଜେଡି ଛାଡି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ସିମୁଳିଆ ବିଧାୟକ କେବଳ 52 ଟି ପ୍ରଶ୍ନ ଉପସ୍ଥାପନ କରି ନିଜ କାମ ସାରିଦେଇଥିବା ବେଳେ ଏବେ ଲୋକଙ୍କ ପାଖରେ ପ୍ରିୟଭାଜନ ହେବାକୁ ଚେଷ୍ଟା ଚଲାଇଛନ୍ତି । 3ଥର ବିଧାୟକ ଓ ମନ୍ତ୍ରୀ ପଦରେ ଥିବା ଅନନ୍ତ ଦାସ ମଧ୍ୟ ସାଧାରଣ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବାରେ ଅସମର୍ଥ ହୋଇଛନ୍ତି । ସଦର ବିଧାୟକ ମଧ୍ୟ ସେହିପରି 52ଟି ପ୍ରଶ୍ନ ପଚାରି ଚୁପ ହୋଇଯାଇଥିବା ଜଣାପଡିଛି।
ବିଧାୟକମାନେ ପଚାରିଥିବା ପ୍ରଶ୍ନ ମଧ୍ୟରୁ ଅନେକ ବ୍ୟକ୍ତି କେନ୍ଦ୍ରିକ ପ୍ରଶ୍ନ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ସାମୂହିକ ସ୍ବାର୍ଥ ପାଇଁ ଭୋଟରମାନେ ନିଜର ପ୍ରତିନିଧିଙ୍କୁ ବିଧାନସଭା ପଠାଉଥିବା ବେଳେ ସେମାନେ ନିଜନିଜ ଅଞ୍ଚଳର ସମସ୍ୟା ପ୍ରତି ମଧ୍ୟ ଯତ୍ନବାନ ନୁହନ୍ତି ବୋଲି ରିପୋର୍ଟରୁ ଜଣାପଡୁଛି।
ନିଜ ଅଞ୍ଚଳର କଥା କେତେ ବୁଝୁଛନ୍ତି ଓ ଲୋକଙ୍କ ସମସ୍ୟା ପାଇଁ କେତେ ଲଢୁଛନ୍ତି ପ୍ରତିନିଧି ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଠକି ଆସୁଥିବା ପ୍ରତିନିଧିଙ୍କ ଠକାମୀରେ ଜନତା ପୁଣି ଥରେ ପଡୁଛନ୍ତି ନା ବିକଳ୍ପ ସନ୍ଧାନ କରୁଛନ୍ତି ତାହା ନିର୍ବାଚନ ପରେ ଜଣା ପଡିବ । ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ବାଲେଶ୍ବରବାସୀ ମତଦାନ କରିବେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ