ବାଲେଶ୍ବର: ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ଉତ୍ସବମୁଖର ସାରା ଦେଶ । ଏନେଇ ଚାରିଆଡେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଜିଲ୍ଲାର ନୀଳଗିରିକୁ ତୃତୀୟ ଶ୍ରୀକ୍ଷେତ୍ର ଭାବେ ଜଣାଯାଏ । ଏଠାରେ ଦିନକ ପରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ମହାପ୍ରଭୁଙ୍କ ପହଣ୍ଡି ହୋଇଥିବାବେଳେ ଆସନ୍ତାକାଲି ବା ଶୁକ୍ରବାର ରଥାଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ ଦେଉଳରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥାରୂଢ କରାଯାଇଥିଲା ।
ଠିକ ସେହିପରି ରେମୁଣା ଇମାମି ନଗରରେ ଅପରାହ୍ନରେ ସୁଶୀଲ ଗୋଏଙ୍କା ଛେରା ପହଁରା କରିବା ପରେ ମହାପ୍ରଭୁଙ୍କ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଲିଆପାଳ ଖାଗଦାପାଳରେ ତିନୋଟି ରଥର ଆୟୋଜନ କରାଯାଇଥିଲା । ମନ୍ଦିରରୁ ଭଗବାନଙ୍କୁ ପହଣ୍ଡି କରି ରଥାରୂଢ କରାଯାଇଥିଲା ।
ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିବା ପରେ ଶ୍ରଦ୍ଧା କ୍ଷେତ୍ରର ପ୍ରଥମ ସେବକ ଜୟନାରାୟଣ ମହାନ୍ତି ଛେରା ପହଁରା କରିଥିଲେ। ଏହାପରେ ରଥ ଟଣା ଆରମ୍ଭ ହୋଇଥିଲା । ଏଠି ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ