ବାଲେଶ୍ବର: ଚଳିତ ବର୍ଷ ଲଗାଣ ବର୍ଷା କାରଣରୁ ବହୁ ଚାଷଜମି ଜଳମଗ୍ନ ହୋଇ ଯାଇଥିଲା । ସେପ୍ଟେମ୍ବର ମାସ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରିଛି ବାଲେଶ୍ବର ଜିଲ୍ଲା କୃଷି ବିଭାଗ । ତେବେ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବାଲେଶ୍ଵର ଜିଲ୍ଲାରେ ସଦର, ରେମୁଣା, ବସ୍ତା, ସୋର, ବାଲିଆପାଳ, ଜଳେଶ୍ବର, ଭୋଗରାଇ, ନୀଳଗିରି ଆଦି ବ୍ଲକର ଚାଷଜମି ପ୍ରଭାବିତ ହୋଇଛି । ଏଥସହିତ ସମୁଦାୟ ୧୫୩ ପଞ୍ଚାୟତ ଏବଂ ୭୮୫ ଟି ଗାଁ ଜଳମଗ୍ନ ହୋଇଥିବା ଉଲ୍ଲେଖ ରହିଛି । ଏହାବ୍ୟତୀତ ଜିଲ୍ଲାରେ ସମୁଦାୟ ୨୭୦୦୫ ହେକ୍ଟର ଫସଲ ଜମି ଜଳମଗ୍ନ ହୋଇଛି ।
ବାଲେଶ୍ଵର ସଦରରେ ୩୫୨୩ ହେକ୍ଟର, ରେମୁଣାରେ ୩୫୪୯ ହେକ୍ଟର, ବସ୍ତାରେ ୪୭୨୦ ହେକ୍ଟର, ସୋରରେ ୭୩୦ ହେକ୍ଟର, ବାଲିଆପାଳରେ ୧୧୩୨ ହେକ୍ଟର, ଜଳେଶ୍ବରରେ ୩୪୯୬ ହେକ୍ଟର, ଭୋଗରାଇରେ ୯୮୫୦ ହେକ୍ଟର ଏବଂ ନୀଳଗିରି ବ୍ଲକରେ ୮ ହେକ୍ଟର ଚାଷ ଜମି ପାଣି ମାଡିଯାଇଛି । ଯାହାଫଳରେ ୮ଟି ବ୍ଲକର ଚାଷୀଙ୍କ ଚାଷ କ୍ଷତିଗ୍ରସ୍ତ ହୋଇଛି । ଏବେ ଧାନରେ ପଚା ରୋଗ ସହ ଧାନ ଗଛ ନାଲି ପଡିବାକୁ ବସିଲାଣି । ଫଳରେ ଏଥର ଭଲ ଅମଳ ହେବ କି ନାହିଁ ସେନେଇ ଆଶା ଆଶଙ୍କାରେ ଚାଷୀ । ତେବେ ବର୍ତ୍ତମାନ ଜିଲ୍ଲା କୃଷି ବିଭାଗ କ୍ଷୟକ୍ଷତି ଆକଳନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ