ବାଲେଶ୍ବର: ଦିଲ୍ଲୀ ପୋଲିସକୁ ଚକମା ଦେଲା ଓଡିଶା ଚୋର । ବହୁ କଷ୍ଟରେ ଚୋରକୁ ଧରିବାରେ ସଫଳ ହୋଇଥିବା ପୋଲିସ ଏବେ ଖାଲି ହାତରେ ଫେରୁଛି ଦିଲ୍ଲୀ । ଏମିତି ଏକ ଘଟଣା ଏବେ ବାଲେଶ୍ବରରେ ଚର୍ଚ୍ଚାର ବିଷୟ ପାଲଟିଛି , କିଭଳି କେଉଁ ପରିସ୍ଥିତିରେ ଦିଲ୍ଲୀ ପୋଲିସ ଆଖିରେ ଧୂଆଁ ଦେଇ ଚୋର ଛୁ ହୋଇଗଲା ।
ଘଟଣାଟି ହେଉଛି ଏମିତି, ସୋର ଥାନା ରଘୁନାଥପୁର ଅଞ୍ଚଳର କରୁଣାକର ଦାସ ନାମକ ଜଣେ ଯୁବକ ଦିଲ୍ଲୀରେ ଚାକର ଭାବେ କାମ କରୁଥିଲେ । ଦିନେ ଘର ମାଲିକ ଘରେ ନଥିବା ଅବସ୍ଥାରେ ଚୋର ଘରେ କଳା କନା ବୁଲାଇ ଓଡିଶା ପଳାଇ ଆସିଥିଲେ ।
ଏହି ଘଟଣାର ଅଭିଯୋଗ ହେବାପରେ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରି ବାଲେଶ୍ବରରେ ପହଞ୍ଚିଥିଲେ, ଆଉ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ । ଅଧିକ ପଚରାଉଚୁରା ପାଇଁ ଅଭିଯୁକ୍ତକୁ ଧରି ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ନେଉଥିଲେ ।
ହେଲେ ଅଭିଯୁକ୍ତ କରୁଣାକର ଶୌଚ ହେବା ବାହାନାରେ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଜୋରଦାର ଚର୍ଚ୍ଚା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ