ବାଲେଶ୍ବର: ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧିନସ୍ଥ ଖରିଦା ଗ୍ରାମରେ ଜଣେ ଗର୍ଭବତୀ ଉପଯୁକ୍ତ ସମୟରେ ଆମ୍ବୁଲାନ୍ସ ସୁବିଧାରୁ ବଞ୍ଚିତ ହେବା ଯୋଗୁଁ ଟ୍ରଲିରେ ପ୍ରସବ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଖରିଦା ଗ୍ରାମର କମଳାକାନ୍ତ ସାହୁଙ୍କ ପତ୍ନୀ ମଞ୍ଜୁଲତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଗ୍ରାମର ରାସ୍ତା ଉପରେ ନୂଆ କରି ମାଟି ପଡ଼ିଥିବାରୁ ରାସ୍ତା କାଦୁଅ ହୋଇଥିଲା।
ଯେଉଁଥିପାଇଁ ଆମ୍ବୁଲାନ୍ସ ଗାଁ ଭିତରକୁ ପଶି ପାରି ନଥିଲା। ପ୍ରାୟ ଅଧ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ଥିବା ବେଳେ ପରିବାର ଲୋକେ ଗର୍ଭବତୀ ମଞ୍ଜୁଲତାଙ୍କୁ ଟ୍ରଲିରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ।
ମାତ୍ର ଆମ୍ବୁଲାନ୍ସ ନିକଟକୁ ନେବା ବାଟରେ ମହିଳା ପ୍ରସବ କରିଥିଲେ। ନବଜାତ ଶିଶୁକନ୍ୟା ଓ ମାଙ୍କୁ ଡାକ୍ତରଖାନା ନେଇଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ