ବାଲେଶ୍ବର: ଜିଲ୍ଲା ଆଇଟିଆଇ ପଡ଼ିଆରେ ବୁଧବାର ଠାରୁ ଆରମ୍ଭ ହୋଇଛି ପଲିଶ୍ରୀ ମେଳା । ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ପୁଣିଥରେ ଲୋକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇଛି ଏହି ମେଳା । ପ୍ରଥମ ଦିନରେ ଶିଳ୍ପ ଓ ଏମ୍ଏସ୍ଏମ୍ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ, ସଦର ବିଧାୟକ ସ୍ବରୂପ ଦାସ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ପ୍ରମୁଖ ମେଳାର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।
ମେଳାରେ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀମାନଙ୍କୁ ବିଶେଷ ଭାବେ ଗୁରୁତ୍ବ ଦିଆଯାଇଛି । ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ହାତ ତିଆରି ସାମଗ୍ରୀର ପସରା ମେଳିଛି । ଖାଦ୍ୟ ଠାରୁ ଆରମ୍ଭ କରି ଡିଆରଡିଓ ଦ୍ବାରା ବିକଶିତ ବିଭିନ୍ନ ମିସାଇଲ ଓ ଟ୍ୟାଙ୍କ ମଧ୍ୟ ପ୍ରଦର୍ଶିତ ହୋଇଛି । ୨ ବର୍ଷର ବ୍ୟବଧାନ ପରେ ଏମିତି ମେଳା ହେଉଥିବାରୁ ପ୍ରଥମ ଦିନରେ ହିଁ ଲୋକମାନଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା ।
ମେଳାରେ 300ରୁ ଊର୍ଦ୍ଧ୍ଵ ଷ୍ଟଲ ଖୋଲିଛି । ପ୍ରତିଦିନ ସଂନ୍ଧ୍ୟାରେ ବିଶିଷ୍ଟ ବ୍ୟକ୍ତି ଓ ଲୋକ ପ୍ରତିନିଧିମାନେ ଯୋଗଦେବେ । ସାଧାରଣ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ଭାବେ ଦୋକାନ ଗୃହ ସାଙ୍ଗକୁ ଆର୍ଥିକ ସହାୟତା ଯୋଗାଇବାର ଖସଡ଼ା ପ୍ରସ୍ତୁତ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଆସନ୍ତା 12 ତାରିଖ ଯାଏ ଏହିମେଳା ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରବଳ ଜନ ସମାଗମ ହେବ ବୋଲି ଆଶା କରାଯାଏ ।
ଇଟିଭି ଭାରତ, ବାଲେଶ୍ବର