ବାଲେଶ୍ବର: ବିଭିନ୍ନ ସମୟରେ ମଧ୍ୟାହ୍ନ ଭୋଜନକୁ ନେଇ ସମସ୍ୟା ଦେଖାଦେଉଛି। ପୁଣି ବାଲେଶ୍ବର ଜିଲ୍ଲା ସ୍କୁଲରେ ମଧ୍ୟାହ୍ନ ଭୋଜନକୁ କେନ୍ଦ୍ରକରି ଅସନ୍ତୋଷ ଦେଖିବାକୁ ମିଳିଛି। ଠିକ ସମୟରେ ଖାଦ୍ୟ ଦିଆଯାଉନଥିବା ଓ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ କରି ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଛନ୍ତି।
ସ୍କୁଲର ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ବୁଝାସୁଝା କରିବା ସହ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି । ଅଭିଯୋଗ ଅନୁଯାୟୀ ଜିଲ୍ଲା ସ୍କୁଲରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୪୨ ଛାତ୍ରଛାତ୍ରୀ ଅଧୟନ ଅଛନ୍ତି। ପୂର୍ବରୁ ଏହାକୁ ସ୍କୁଲରେ ପାଚିକା ଓ ସହାୟିକାଙ୍କ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ବେଳେ ଏବେ ସେଣ୍ଟ୍ରାଲ କିଚେନରେ ପ୍ରସ୍ତୁତ ହୋଇ ଆସୁଛି।
ହେଲେ ସେଣ୍ଟ୍ରାଲ କିଚେନ ଦ୍ବାରା ଖାଦ୍ୟ ଦିଆଯିବା ଦିନଠାରୁ ବିଭିନ୍ନ ପ୍ରକାର ବ୍ୟତିକ୍ରମ ସୃଷ୍ଟି ହୋଇଛି। କେତେବେଳେ ଭାତ ଟାଣ ତ କେତେବେଳେ ନରମ ଓ ବାସି। ସେହିପରି ସିଝାଅଣ୍ଡାର ଖୋଳପା ନକାଢି ଦିଆଯାଉଛି। ସବୁଠୁ ବଡ କଥା ହେଉଛି ଠିକ ସମୟରେ ଖାଦ୍ୟ ଆସୁନଥିବା କାରଣରୁ ଅଧିକାଂଶ ପିଲା ଖାଇପାରୁନାହାନ୍ତି ବୋଲି ଅଭିଯୋଗ ହୋଇଛି।
ତେବେ ଏନେଇ ପ୍ରଧାନଶିକ୍ଷକ ଡଃ. ପ୍ରଫୁଲ୍ଲ କୁମାର ସାମଲଙ୍କୁ ପଚାରିବାରୁ ସେ ପରୋକ୍ଷରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଏବିଷୟରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବେ ବୋଲି କହିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ