ବାଲେଶ୍ବର: ରାସ୍ତାକଡରେ ଗଦା ହୋଇଛି ସରକାରୀ ଔଷଧ । ବାଲେଶ୍ବର ଜିଲ୍ଲାର 16 ନମ୍ବର ଜାତୀୟ ରାଜପଥ ତଳନଗର ନିକଟ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । କେଉଁ ପରିସ୍ଥିତିରେ ଏହି ଔଷଧ ଫିଙ୍ଗାଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।
ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ସହ ମାଗଣା ଔଷଧ ଯୋଗାଇ ଦେବା ପାଇଁ ନିରାମୟ ଯୋଜନା କରିଛନ୍ତି । ଗୋଟିଏ ପଟେ ସାଧାରଣ ଲୋକେ ଟଙ୍କା ଦେଇ ଔଷଧ ଦୋକାନରୁ ଔଷଧ କିଣୁଥିବାବେଳେ, ନିରାମୟ ଯୋଜନାର ଔଷଧ ଅବଧି ସରିଯାଉଥିଲେ ମଧ୍ୟ ଲୋକେ ପାଇ ପାରୁନାହାନ୍ତି । ଫଳରେ ଗଦାଗଦା ଔଷଧ ଅଳିଆଗଦାରେ ଫିଙ୍ଗାଯାଉଛି । ଔଷଧର ସମୟସୀମା ରହିଥିବା ବେଳେ ରାସ୍ତାକଡରେ ଔଷଧ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।
ଏହା ମଧ୍ୟ ପଢନ୍ତୁ: ଚଳିତ ବର୍ଷ ଓଡିଶା ହାଇକୋର୍ଟର ବଢିଛି କେସ କ୍ଲିୟରାନ୍ସ ହାର, ୧,୩୬୫୯୯ଟି ମାମଲା ସାମାଧାନ
ପଡିରହିଥିବା ଔଷଧରେ ବଟିକା ଏବଂ ଔଷଧ ବୋତଲ ରହିଛି । ଖରା କାକରରେ ଔଷଧ ବଟିକା ଗୁଡିକ ଫୁଲିଯାଇଥିବା ବେଳେ ନାମ ଜଣାପଡୁନାହିଁ । କିନ୍ତୁ ଔଷଧ ଗୁଡିକ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଲେଖା ଅଛି। ତେବେ କିଏ ଏବଂ କାହିଁକି ଏହି ସ୍ଥାନରେ ସରକାରୀ ଔଷଧ ପକାଇଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟବହାରର ସମୟସୀମା ଥାଇ ମଧ୍ୟ ସରକାରୀ ଔଷଧ କେଉଁ କାରଣରୁ ଏପରି ଭାବେ ରାସ୍ତା କଡରେ ପଡିଲା ତାହା ଏବେ ତଦନ୍ତ ସାପେକ୍ଷ ।
ଇଟିଭି ଭାରତ, ବାଲେଶ୍ବର