ବାଲେଶ୍ୱର: ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଜମି ଭାଗବଣ୍ଟାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଉଭୟ ପକ୍ଷରୁ 4 ଜଣ ଆହତ ହୋଇଥିବାବେଳେ ଏଥିରେ ଜଣେ ମହିଳା ସାମିଲ ଅଛନ୍ତି । ଏନେଇ ଉଭୟଙ୍କ ପକ୍ଷରୁ ସିଂଲା ଥାନାରେ ଅଭିଯୋଗ ହୋଇଛି ।
ସିଂଲା ଥାନା ଲଙ୍ଗଳେଶ୍ବର ଗାଁର ପରମାନନ୍ଦ ଦାସ ଓ ମନ୍ମଥ ଦାସଙ୍କ ମଧ୍ୟରେ ଜମି ଭାଗବଣ୍ଟାକୁ ନେଇ ମାପଚୁପ ଚାଲିଥିଲା । ମାପ ଅନୁଯାୟୀ ଏକ ବାଡ଼ ବସାଇବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ମନ୍ମଥଙ୍କ ପୁଅ ତପନ, ସୁମନ୍ତର କଟିନ ପରମାନନ୍ଦଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଏହା ପରେ ପରମାନନ୍ଦଙ୍କ ପୁଅ ଅକ୍ଷୟ ଓ ସ୍ତ୍ରୀ ରିତାରାଣୀ ସେଠାକୁ ଆସିଥିବାବେଳେ ତାଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି । ଏଥିରେ ରିତାରାଣୀ ଓ ଅକ୍ଷୟ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।
ସେପଟେ ଏନେଇ ପରମାନନ୍ଦ ଥାନାରେ ଅଭିଯୋଗ କରିଥିବା ସହ ମନ୍ମଥଙ୍କ ଭଣଜା ମଧ୍ୟ ଏହି ଘଟଣାକୁ ନେଇ ଏକ ଅଭିଯୋଗ କରିଥିବା ଜଣାପଡ଼ିଛି।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ