କେନ୍ଦୁଝର : କେନ୍ଦୁଝର ଜିଲ୍ଲାରୁ ସ୍ଲରୀ ପାଇପ ମାଧ୍ୟମରେ ଖଣିଜ ପରିବହନର ନୂତନ ପ୍ରକଳ୍ପକୁ ବନ୍ଦ କରିବା ସହିତ ଟ୍ରକ ମାଧ୍ୟମରେ ଖଣିଜ ପରିବହନ ନିମନ୍ତେ ଦାବି କରିଛି ଜିଲ୍ଲା ଟ୍ରକ ମାଲିକ ସଙ୍ଘ କୋର କମିଟି । ଏନେଇ କେନ୍ଦୁଝର ସହରର କାଳିପଡ଼ିଆ ଠାରୁ ଏକ ବିଶାଳ ରାଲିରେ ଟ୍ରକ ମାଲିକମାନେ ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏହି ପ୍ରକଳ୍ପକୁ ଶୀଘ୍ର ବନ୍ଦ କରାନଗଲେ ଜିଲ୍ଲାର ଟ୍ରକ ମାଲିକ ଏବଂ ଟ୍ରକ ବ୍ୟବସାୟ ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ ପ୍ରଭାବିତ ହେବେ ବୋଲି କୋର କମିଟି କହିଛି । କେବଳ ସେତିକି ନୁହେଁ, ଋଣ କରି ଟ୍ରକ କରିଥିବା ବ୍ୟକ୍ତିମାନେ ଏବେ କାମ ନପାଇ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି ବୋଲି ଅଭିଯୋଗ କରିଛି କୋର କମିଟି ସଦସ୍ୟ ।
କୋର କମିଟିର କହିବା ମୁତାବକ ପୂର୍ବରୁ କେତେକ ସ୍ଲରୀ ପ୍ରୋଜେକ୍ଟ ଜିଲ୍ଲାରେ କାମ କରୁଛି । ଏଭଳି ପରିସ୍ଥିତିରେ ନୂତନ ପ୍ରକଳ୍ପ କାମ କଲେ ପରିବହନ ଏବଂ ଟ୍ରକ ବ୍ୟବସାୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବ । ତେଣୁ ଅନ୍ୟୁନ ଖଣିଜ ପରିବହନର ୬୦% ଟ୍ରକ ଯୋଗେ କରାନଗଲେ ଏହି ବ୍ୟବସାୟରେ ଥିବା ଲୋକେ ଏବଂ ନିର୍ଭରଶୀଳ ପରିବାର ବ୍ୟାପକ କ୍ଷତି ସହିବେ ।
ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କୋର କମିଟିରେ ଥିବା କେନ୍ଦୁଝର ଟ୍ରକ ମାଲିକ ସଂଘ, ଯୋଡା ଟ୍ରକ ମାଲିକ ସଂଘ, ବଡବିଲ ମାଇନିଂ ଏରିଆ ଟ୍ରକ ମାଲିକ ସଂଘ, ଗୁଆଲି ଟ୍ରକ ମାଲିକ ସଂଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ ଓ ଭଦ୍ରାସାହି ଟ୍ରକ ମାଲିକ ସଂଘ ସମେତ କେନ୍ଦୁଝର ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ସମର୍ଥନ ନେଇ ଦାବିପତ୍ରକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଦାନ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ