ବାଲେଶ୍ବର: ଜିଲ୍ଲାର ହଳଦୀପଦା ଫାଣ୍ଡିକୁ ସଦର ବିଜେପି ପକ୍ଷରୁ ଘେରାଉ କରାଯାଇଛି । ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରି ବିଜେପି କର୍ମୀମାନେ ଫାଣ୍ଡି ଘେରାଉ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଜିଲ୍ଲାରେ କିଛି ଦିନ ପୂର୍ବରୁ ବୁଆଁଳ ପଞ୍ଚାୟତ ଛତ୍ରପୁର ଛକରେ ଘଟିଥିବା ହତ୍ୟାକାଣ୍ଡ ଘଟିଥିଲା । ତେବେ ହତ୍ୟାକାଣ୍ଡକୁ ବହୁତ ସମୟ ହୋଇଯାଇଥିଲେ ମଧ୍ୟ ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରିବାରେ ଅକ୍ଷମତା ପ୍ରକାଶ କରିଥିବା ବିଜେପି ଅଭିଯୋଗ କରିଛି ।
ସେହିପରି ନହରପାଟଣା ଛକ ନିକଟରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍ କରିବା ଘଟଣାରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନାହିଁ ବୋଲି ବିଜେପି କହିଛି । ଏହିସବୁ ଘଟଣାରୁ ଜିଲ୍ଲାରେ ଆଇନ ଶୃଙ୍ଖଳା ବୁଡି ଯାଉଥିବା ବିଜେପି ପକ୍ଷରୁ କୁହାଯାଇଛି । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ନ ଆସିଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ