ବାଲେଶ୍ବର: ପୂର୍ବ ଶତୃତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଯୁବକଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ସହଦେବଖୁଣ୍ଟା ଥାନା ଅଧିନ ଭାସ୍କରଗଞ୍ଜ ଅଞ୍ଚଳର ରବୀନ୍ଦ୍ର ସେଠୀଙ୍କ ପୁଅ ବଳରାମ ହରିଆଣାରେ ରହି କାଠ କାମ କରନ୍ତି । ବହୁଡ଼ା ସମୟରେ ଭଉଣୀର ବିବାହ ପାଇଁ ସେ ବାଲେଶ୍ୱର ଆସିଥିଲେ । ତେବେ ତାଙ୍କର 5 ବର୍ଷ ତଳେ କିଛି ଲୋକଙ୍କ ସହିତ ଶତ୍ରୁତା ରହିଥିଲା ଯାହା ଫଳରେ ଶୁକ୍ରବାର କିଛି ଦୁର୍ବୃତ୍ତ ଶୋଭରାମପୁରସ୍ଥିତ ରେଳ ଲାଇନ କଡରେ ବିଭିନ୍ନ ପ୍ରକାର ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଆଉ ପରେ ଗୁରୁତର ଅବସ୍ଥାରେ ଟ୍ରେନ ଲାଇନ କଡ଼ରେ ପକାଇ ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଳରାମଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲା ।
ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ମାତ୍ର 108 ଉପଲବ୍ଧ ନହେବାରୁ ଏଥିରେ ବିଳମ୍ବ ଦେଖା ଦେଇଥିଲା । ଶେଷରେ ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ନିଜ ଖର୍ଚ୍ଚରେ ଏକ ଘରୋଇ ଆମ୍ବୁଲାନ୍ସରେ ବଳରାମଙ୍କୁ କଟକ ପଠାଇଥିବା ଜଣାପଡିଛି ।
ବଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ