ବାଲେଶ୍ବର: ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବଢିବାରେ ଲାଗିଛି । ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ୪ଟି ଟ୍ରକ ଓ ଗୋଟିଏ ପିକଅପ ଭ୍ୟାନ ଜବତ କରିବା ସହ 153 ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ ।
ସୂଚନାଅନୁସାର,ଭଦ୍ରକ ଅଞ୍ଚଳରୁ ୪ଟି ଗୋରୁ ବୋଝେଇ ଟ୍ରକ ଓ ଗୋଟିଏ ପିକଅପ ବାଲେଶ୍ବର ଅଭିମୁଖେ ଆସୁଥିବା ଖନ୍ତାପଡା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବରପାଇ ସେରଗଡ଼ ଟୋଲ ଗେଟ ନିକଟରେ ରାତିରେ ପେଟ୍ରୋଲିଂ କରିଥିଲା । ରାତି ପ୍ରାୟ 3ଟା ବେଳେ ଗାଡି ଗୁଡିକ ଯାଞ୍ଚ କରିବା ସମୟରେ ସେଥିରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ପୋଲିସ ନଜରକୁ ଆସିଥିଲା ।
ଘଟଣାରେ ପୋଲିସ ୪ଟି ଗୋରୁ ବୋଝେଇ ଟ୍ରକ ଓ ଗୋଟିଏ ପିକଅପ ଜବତ କରିବା ସହ 153 ଗୋରୁଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଗୋରୁ ମଧ୍ୟରୁ 3ଟି ମୃତ ବୋଲି ଜଣାପଡିଛି । ତେବେ ଘଟଣାରେ ପାଞ୍ଚଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଖନ୍ତାପଡା ପୋଲିସ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ