ବାଲେଶ୍ୱର: ବସ୍ତା ବ୍ଲକ ନାଇକଗୁଡି ଅଞ୍ଚଳର ଦିବ୍ୟାଙ୍ଗ ମହିଳା ମାନସୀ ପ୍ରଧାନଙ୍କୁ ଅଣଦେଖା । ଗତ 2022ରେ ସେ ବିବାହ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ମିଳିପାରିନି ସରକାରୀ ସହାୟତା । କୌଣସି ଦିବ୍ୟାଙ୍ଗ ଯଦି ସୁସ୍ଥ ବ୍ୟକ୍ତିଙ୍କୁ ବିବାହ କରନ୍ତି ତେବେ ଉଭୟଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ମାନସୀ । ବ୍ଲକ ଅଫିସ ଠାରୁ ଆରମ୍ଭ କରି ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ମିଳିପାରିନି ସହାୟତା ରାଶି । ଶେଷରେ ମାନସିଙ୍କ ଦୁଃଖ ଶୁଣିଛନ୍ତି ଜିଲ୍ଲାପାଳ ।
ମାନସୀ ଗତ 2022ରେ ବାଲିଆପାଳ ବ୍ଲକ ବୋଳଙ୍ଗ ଅଞ୍ଚଳର ଶମ୍ବୁନାଥ ପ୍ରଧାନଙ୍କୁ ବିବାହ କରିଥିଲେ । ମାନସୀ ଏବେ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଥିବା ବେଳେ ସରକାରୀ ସହାୟତା କହିଲେ ମାତ୍ର ୭ଶହ ଟଙ୍କା ଭତ୍ତା ମିଳୁଛି । ତାଙ୍କ ସ୍ଵାମୀ ଶମ୍ଭୁନାଥ ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରୁଥିବା ବେଳେ ସେଥିରୁ ଯାହା ମିଳେ ସେଥିରେ ପରିବାରର ଚଳେ । ତେବେ ମାନସୀ ସରକାରୀ ଯୋଜନାରେ ସାମିଲ ହୋଇ କିପରି ସହାୟତା ପାଇପାରିବେ ସେନେଇ ଚେଷ୍ଟା ଜାରି ରଖିଛନ୍ତି ।
ମାନସିଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିନଥିବା ବେଳେ ଆଜି ଯାଏଁ ଶୌଚାଳୟ ଟିଏ ମଧ୍ୟ ମିଳିପାରିନାହିଁ । ଏହାସହ ଯେଉଁ ବିବାହ ସହାୟତା ରାଶି ମିଳିବା କଥା ତାହା ମଧ୍ୟ ମିଳି ପାରିନାହିଁ । ଏନେଇ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ଗୁହାରି କରିଥିଲେ ମଧ୍ୟ ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି ସେ । ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସି ରହିବାରୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ତାଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।
ସୂଚନା ଥାଉକି, ମାନସୀ ଜଣେ ଭିନ୍ନକ୍ଷମ ମହିଳା ହୋଇଥିବା ବେଳେ ସେ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ ରହିଥିବା ୨ଲକ୍ଷ ୫୦ହଜାର ଟଙ୍କାର ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ପାଇବାକୁ ସେ ଯୋଗ୍ୟ ଅଟନ୍ତି । ବିବାହ ପୂର୍ବରୁ ସେ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ୨୫ହଜାର ଟଙ୍କା ପାଇଥିବା ବେଳେ ଜିଲ୍ଲା ରେଡକ୍ରସ ଠାରୁ ୫ ହଜାର ଟଙ୍କା ସହାୟତା ରାଶି ପାଇଥିଲେ । ହେଲେ ଅନ୍ୟାନ୍ୟ ସୁବିଧା ପାଇଁ ୧୦ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ବର ଠାରୁ ଆରମ୍ଭ କରି ବାଲେଶ୍ବର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସହଯୋଗ ମିଳିପାରି ନଥିଲା । ଏପରିକି ବିବାହ ଭତ୍ତା ପାଇଁ ସେ ଏକ ବର୍ଷ ହେବ ଆବେଦନ କରିଥିଲେ ମଧ୍ୟ ତାହା ମିଳିପାରି ନାହିଁ ।
ଏନେଇ ସେ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପାଣ୍ଠି ଅଭାବ ହେତୁ ଏବେ ମିଳିପାରିବ ନାହିଁ ତାଙ୍କୁ କୁହାଯାଇଥିଲା । ଶେଷରେ ବାଧ୍ୟ ହୋଇ ମାନସୀ ତାଙ୍କ ଭାଇଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଏହାପରେ ମାନସୀଙ୍କ ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ତୁରନ୍ତ ଜିଲ୍ଲା ସାମାଜିକ ଅଧିକାରୀଙ୍କୁ ଡକାଇ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଶୌଚାଳୟ ତୁରନ୍ତ ନିର୍ମାଣ କରିବା ପାଇଁ ବସ୍ତା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ସାମାଜିକ ଅଧିକାରୀ ତରୁଣ ତପନ ପ୍ରହରାଜ ଘଟଣା ସ୍ଥଳରେ ପହଞ୍ଚି ମାନସୀଙ୍କ ସହ ଆଲୋଚନା କରିବା ପରେ ତାଙ୍କର ସମସ୍ତ ପ୍ରକାର କାଗଜ ପତ୍ର ଗ୍ରହଣ କରିଥିଲେ । ଏବଂ ଏକ ସପ୍ତାହ ମଧ୍ୟରେ ତାଙ୍କୁ ତାଙ୍କର ବିବାହ ସହାୟତା ରାଶି ୨ଲକ୍ଷ ୫୦ହଜାର ଟଙ୍କା ମଳିବ ବୋଲି କହିଥିଲେ ।
ଇଟିଭି ଭାରତ, ବାଲେଶ୍ବର