ବାଲେଶ୍ବର: ଅନ୍ବେଷା ଇନ ଇଣ୍ଡିଆ ଲିମିଟେଡ ଚିଟଫଣ୍ଡ ଠକେଇ ମାମଲା । ଗତକାଲି(ମଙ୍ଗଳବାର) ରାୟ ଶୁଣାଇଛନ୍ତି ବାଲେଶ୍ବର ବିଚାର ବିଭାଗର ସ୍ବତନ୍ତ୍ର ଓପିଆଇଡି କୋର୍ଟ । ଏହି ମାମଲାରେ କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ୩ଜଣଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ବାଲେଶ୍ଵରର ସ୍ବତନ୍ତ୍ର ଚିଟପଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ ଦାସ ଏହି ରାୟ ପ୍ରଦାନ କରିଛନ୍ତି ।
ସୂଚନା ଅନୁସାରେ, ଏହି ଚିଟଫଣ୍ଡ ସଂସ୍ଥା ବାଲେଶ୍ୱର ସହରରର ସହଦେବଖୁଣ୍ଟା ଅଞ୍ଚଳରେ ଖୋଲିଥିଲା । ଅଳ୍ପଦିନରେ ଏହି ସଂସ୍ଥା ଲୋକଙ୍କୁ ଠକିବାରେ ସଫଳ ହୋଇଥଲା । ଅଧିକ ଟଙ୍କା ଫେରସ୍ତ ଲୋଭ ଦେଖାଇ ସଂସ୍ଥା ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଵାଲେଶ୍ୱର ସମେତ ବିଭିନ୍ନ ଅଞ୍ଚଳରୁ ଟଙ୍କା ଆଦାୟ କରିଥଲା । ଏମିତି ସଦର ବ୍ଲକ ଅନ୍ତର୍ଗତ ଶେଖପାଟଣା ଅଞ୍ଚଳର ଜଗନ୍ନାଥ ବାରିକ ନାମକ ଜଣେ ଜମାକାରୀ ଉକ୍ତ ସଂସ୍ଥାରେ ଆରଡି ଆକାରରେ ଟଙ୍କା ରଖିଥିଲେ । ଉକ୍ତ ସଂସ୍ଥାରେ ୭ଲକ୍ଷ ୩୭ ହଜାର ୩୪୦ ଟଙ୍କା ଜମା ରଖିଥିଲେ । ଏହି ଟଙ୍କା ମେଚୁରୀଟି ବି ହୋଇଯାଇଥିଲା । ମାତ୍ର ୧୨ ପ୍ରତିଶତ ସୁଧ ସହ ମୂଳଧନ ନ ମିଳିବାରୁ ସେ ସହଦେବଖୁଣ୍ଟାରେ ଥିବା ସମ୍ପୃକ୍ତ ସଂସ୍ଥାର କାର୍ଯ୍ୟଳୟକୁ ଯାଇଥିଲେ । ସେଠାରେ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ତାଙ୍କ ସହ ଅନ୍ୟ ଜମାକାରୀ ଠକାମୀରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ।
ପରେ ସେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା କିଛି କର୍ମଚାରୀଙ୍କୁ ଭେଟିଥିଲେ । ସେମାନେ ବ୍ଲାଙ୍କ ଚେକ ଦେଇ ଟଙ୍କା ଉଠାଇପାରିବେ ବୋଲି କହିଥିଲେ କିନ୍ତୁ ତାହା ବାଉନ୍ସ ହୋଇଯାଇଥିଲା । ପରେ ଏନେଇ ସେ ଶହଦେବଖୁଣ୍ଟା ଥାନାରେ କମ୍ପାନୀର ୮ ଜଣଙ୍କ ନାମରେ ସେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ ସମସ୍ତଙ୍କୁ ଗିରଫ କରିଥିଲା ।
ସେବେଠାରୁ ଏହି ମାମଲା ଚିଟଫଣ୍ଡ ଅଦାଲତରେ ବିଚରାଧୀନ ଥିଲା । ମାମଲା ବିଚାରକୁ ନେଇ ୧୬ ସାକ୍ଷୀ, ୫୪ ଦସ୍ତାବିଜକୁ ପ୍ରମାଣକୁ ଆଧାର କରି କମ୍ପାନୀର ଡାଇରେକ୍ଟର କୃଷ୍ଣଚନ୍ଦ୍ର ସାହୁଙ୍କୁ ୫ ବର୍ଷ ଜେଲ ସହ ୨ ଲକ୍ଷ ଟଙ୍କା ଜରିମାନା, ଅନାଦେୟ ୨ ବର୍ଷ ଅଧିକ ଜେଲ , ଅଫିସ କର୍ମଚାରୀ ଅଭିମନ୍ୟୁ ମହାପାତ୍ରଙ୍କୁ ୩ ବର୍ଷ ଜେଲ, ୧୦ ହଜାର ଜରିମାନା, ବ୍ରାଞ୍ଚ ମ୍ୟାନେଜର ପ୍ରଣୟ କୁମାର ବେହେରାଙ୍କୁ ୩ ବର୍ଷ ଜେଲ, ୧୦ ହଜାର ଟଙ୍କାର ଜରିମାନା ଆଦେଶ ହୋଇଛି । ବରିଷ୍ଠ ସରକାରୀ ଆଇନଜୀବୀ ପ୍ରଣବ କୁମାର ପଣ୍ଡା ଏହି ମାମଲା ପରିଚାଳନା କରିଥିଲେ ।
ଇଟିଭି ଭାରତ, ବାଲେଶ୍ବର