ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତତଥ୍ୟ ଲିକ୍ ଘଟଣା । କୋର୍ଟରେ ହାଜର ପରେ 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ ସମସ୍ତ ଅଭିଯୁକ୍ତ । ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ବେହେରା, ତାପସ ରଞ୍ଜନ ନାୟକ, ଶେଖ୍ ମୁଶାଫିର ଏବଂ ହେମନ୍ତ କୁମାର ମିସ୍ତ୍ରୀ । ସେମାନେ ସୋସିଆଲ ମିଡିଆ ଓ ଫୋନ କଲ ମାଧ୍ୟମରେ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ପ୍ରଦାନ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ସେପଟେ ବର୍ତ୍ତମାନ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ହସ୍ତାନ୍ତର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ।
ସୂଚନାଯୋଗ୍ୟ, ପାକିସ୍ତାନ ଗୁଇନ୍ଦା ସଂସ୍ଥା ଠାରୁ ଅର୍ଥ ବିନିମୟରେ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ 4 ଅଭିଯୁକ୍ତଙ୍କୁ ଗିରଫ କରି ଆଜି(ବୁଧବାର) ଏସଡିଜେଏମ କୋର୍ଟରେ ହାଜର କରିଥିଲା । ଏମାନଙ୍କ ବିରୋଧରେ ଚାନ୍ଦିପୁର ଥାନାରେ କେସ ନଂ 76/2021 120B, 121A, 34IPC ଓ ଅଫିସିଆଲ ସିକ୍ରେଟ ଆକ୍ଟ ସେକ୍ସନ 3, 4 ଓ 5ରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଏସଡ଼ିଜେଏମ କୋର୍ଟ ଚାଲାଣ କରାଯାଇଥିଲା ।
ଅନ୍ୟପଟେ ଜଣେ ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ସେ ଭାରତ ମାତା କି ଜୟ ନାରା ଦେବା ସହ ଜାତୀୟ ସଙ୍ଗୀତ ଗାନ କରି ନିଜକୁ ନିର୍ଦ୍ଦୋଷୀ ବୋଲି କହିଛି । ଏହାସହ ସେ ଜଣେ ମହିଳାଙ୍କ ସହ ଚାଟିଂ କରୁଥିବା କଥା ସ୍ବୀକାର କରିବା ସଙ୍ଗେ ସଙ୍ଗେ କୌଣସି ଗୁପ୍ତ ତଥ୍ୟ ପ୍ରଦାନ କରିନଥିବା ଦାବି କରିଛି ଜଣେ ଅଭିଯୁକ୍ତ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ