ବାଲେଶ୍ବର: ଗତ ୧୬ ଜୁଲାଇରେ OSSC ପକ୍ଷରୁ ଜେଇ ମେନ୍(ସିଭିଲ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାର ଠିକ ଦିନକ ପୂର୍ବରୁ ବାଲେଶ୍ବର ଜିଲ୍ଲା ତାଳସାରି ଅଞ୍ଚଳରୁ ପ୍ରଶ୍ନପତ୍ର ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ ପୋଲିସ ଚଢ଼ାଉ କରି 9 ଜଣ ଦଲଲଙ୍କୁ ଗିରଫ କରିବା ପରେ ପରୀକ୍ଷା ବାତିଲ ହୋଇ ପୁଣି ଅଗଷ୍ଟ ମାସ 3 ତାରିଖ ହେବା ନେଇ OSSC ପକ୍ଷରୁ ଘୋଷଣା କରାଯାଇଛି । ଯାହାକୁ ନେଇ ପରୀକ୍ଷା ଦେଇଥିବା ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖିବାକୁ ମିଳିଛି । ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ସିଧାସଳଖ OSSCର କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ଚଳିତ ବର୍ଷ OSSC ଜେଇ ମେନ୍ସ ପରୀକ୍ଷାରେ ହଜାର ହଜାର ସଂଖ୍ୟାରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ମାତ୍ର ଲକ୍ଷଲକ୍ଷ ଟଙ୍କା କାରବାର କରାଯାଇ ଏହି ପରୀକ୍ଷାର ସ୍ଵଚ୍ଛତା ଉପରେ ଧୂଳିମାଡ଼ କରାଯାଇଥିବା ଛାତ୍ର କଂଗ୍ରେସ ଅଭିଯୋଗ ଆଣିଛି । ଏନେଇ ବାଲେଶ୍ବର ଛାତ୍ର କଂଗ୍ରେସ ସଭାପତି କହିଛନ୍ତି, "ଅସାଧୁ ଉପାୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଟଙ୍କା ଖର୍ଚ୍ଚ କରିଥିବା ଧନୀ ଶ୍ରେଣୀୟ ଲୋକଙ୍କ ପୁଅ, ଝିଅ ଚାକିରି ପାଇବେ । ମାତ୍ର ଗରିବ ଓ ମେଧାବୀ ପିଲା ଏଥିରୁ ବଞ୍ଚିତ ହେଉଛନ୍ତି । ଯାହାକି OSSC ଏବଂ ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।" ଆସନ୍ତା 3 ତାରିଖ ପୁଣିଥରେ ଜେଇ ମେନ୍ସ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଥିବା ବେଳେ ସେଥିରେ କୌଣସି ପ୍ରଶ୍ନପତ୍ର ଲିକ୍ ହେବ ନାହିଁ ବୋଲି ସରକାର କିମ୍ବା OSSC ପ୍ରତିଶୃତି ଦେବେକି ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି ।
ଏହା ମଧ୍ୟ ପଢ଼ନ୍ତୁ: OSSC ପ୍ରଶ୍ନପତ୍ର ଲିକ୍ ମାମଲା: 5T ଅଛି ହେଲେ ଟ୍ରାନ୍ସପରେନ୍ସି ନାହିଁ କହିଲେ ଶରତ, SIT ତଦନ୍ତ ଦାବି କଲା ବିଜେପି
ହଜାର ହଜାର ମେଧାବୀ ପରୀକ୍ଷାର୍ଥୀଙ୍କ ସ୍ବାର୍ଥ ତଥା ଭବିଷ୍ୟତ ସହ ଜଡିତ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଛାତ୍ର କଂଗ୍ରେସ ଦୃଢ଼ ବିରୋଧ ଓ ନିନ୍ଦା କରିବା ସହ ଜିଲ୍ଲାପାଳଙ୍କ ନିକଟରେ ତିନୋଟି ମୁଖ୍ୟ ଦାବି ଉପସ୍ଥାପନ କରିଛି । ଦାବି ଗୁଡିକ ମଧ୍ୟରେ, ପ୍ରଶ୍ନପତ୍ର ଲିକ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରି ଯଥାଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜି ବାହାର କରାଯାଉ । ପ୍ରଶ୍ନପତ୍ର ଡିଲ୍ କରୁଥିବା ଅସାଧୁ ବ୍ୟକ୍ତିମାନଙ୍କ ଭିତରୁ କେହି OSSC ସଦସ୍ୟ ଥିଲେ କି ତାହା ସ୍ପଷ୍ଟ କରାଯାଉ । ଦଲାଲମାନେ ଆଶାୟୀ ପରିକ୍ଷାର୍ଥୀଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାରୁ ସ୍ପଷ୍ଟ ହେଉଛି ବୋର୍ଡର ସଦସ୍ୟଙ୍କର ମଧ୍ୟ ଏଥିରେ ସମ୍ପୃକ୍ତ ରହିଛନ୍ତି । ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯାଉ । ଆଗାମୀ 7ରୁ 10 ଭିତରେ ଏହିସବୁ ଦାବି ପୂରଣ ନହେଲେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ଇଟିଭି ଭାରତ, ବାଲେଶ୍ବର