ବାଲେଶ୍ବର: ଉଦଘାଟିତ ହେଲା ନୂଆ ସିନିୟର ସିଭିଲ ଜଜ (ଏଲଆର ଓ ଏଲଟିଭି) କୋର୍ଟ । ଏଣିକି ଜିଲ୍ଲାସ୍ତରୀୟ କୋର୍ଟର ଜଜଙ୍କ ଅନୁପସ୍ଥିତିରେ ପ୍ରଭାବିତ ହେବନି ବିଚାର କାର୍ଯ୍ୟ । ନ୍ୟାୟିକ ବ୍ୟବସ୍ଥାରେ ଆସିବ ସୁଧାର । ତୁରନ୍ତ ମିଳିପାରିବ ନ୍ୟାୟ । ବିଚାରପତିଙ୍କ ଅନୁପସ୍ଥିତିରେ ବିଚାର କାର୍ଯ୍ୟ ଜାରି ରଖିବା ଉଦ୍ଦେଶ୍ୟରେ ବାଲେଶ୍ବର ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତ ପରିସରରେ ନୂଆ କରି ସିନିୟର ସିଭିଲ ଜଜ କୋର୍ଟ ଶନିବାର ଉଦଘାଟିତ ହୋଇଯାଇଛି ।
ଅଧିକ ପଢ଼ନ୍ତୁ: କାହା ନିୟନ୍ତ୍ରଣରେ ଦିଲ୍ଲୀ ପ୍ରଶାସନ ? ରାୟର ପୁନଃବିଚାର ପାଇଁ ସୁପ୍ରିମକୋର୍ଟ ଗଲା କେନ୍ଦ୍ର
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧରନ ଏହାକୁ ଭର୍ଚୁଆଲି ଉଦଘାଟନ କରିଥିଲେ । ଏହାସହ ବିଚାର ପ୍ରକ୍ରିୟା ତ୍ବରାନ୍ବିତ ହେବାରେ ଏହି କୋର୍ଟ ବେଶ ଉପାଦେୟ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକଟ କରିଥିଲେ ମୁଖ୍ୟ ବିଚାରପତି । ବିଶେଷ କରି ଅନ୍ୟାନ୍ୟ ସିନିୟର ଡିଭିଜନ ଜଜଙ୍କ ଅନୁପସ୍ଥିତିରେ ସମସ୍ତ ପ୍ରକାର ମାମଲାର ବିଚାର କାର୍ଯ୍ୟ ପୂର୍ବଭଳି ଜାରି ରହିବ ବୋଲି ସେ କହିଥିଲେ । କୋର୍ଟ ଉଦଘାଟନ ବେଳେ ମୁଖ୍ୟ ବିଚାରପତିଙ୍କ ସହ ହାଇକୋର୍ଟର ସିନିୟର ଜଷ୍ଟିସ ବି.ପି ଚୌଧୁରୀ ଓ ଜଷ୍ଟିସ ବିଭୂପ୍ରସାଦ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଏହାସହ କୋର୍ଟ ଉଦଘାଟନ ସମୟରେ ବାଲେଶ୍ବରରେ ଜିଲ୍ଲା ଓ ଦୌରାଜଜ ଅଶାନ୍ତ କୁମାର ଦାସ, ଓପିଆଇଡି ଜଜ ବିଶ୍ୱଜିତ ଦାସ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ପୋକ୍ସୋ) ରଞ୍ଜନ କୁମାର ସୂତାର, ସ୍ପେଶାଲ ଭିଜିଲାନ୍ସ ଜଜ ଶୀଖାରାଣୀ ରଥ, ଉଦଘାଟିତ ନୂଆ କୋର୍ଟର ବିଚାରପତି ମାନସ ରଞ୍ଜନ ପଣ୍ଡା, ପରିବାର ଅଦାଲତ ଜଜ ପ୍ରଶାନ୍ତ କୁମାର ନାୟକ ଉପସ୍ଥିତ ଥିଲେ । ଏହାସହ ବାର ଆସୋସିଏସନ ସଭାପତି ମନୋଜ କୁମାର ନାୟକ ଓ ସମ୍ପାଦକ ଦୀପକ କୁମାର ଦାଶଙ୍କ ସମେତ ଜିଲ୍ଲା ବିଚାର ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ଓକିଲମାନେ ଉପସ୍ଥିତ ଥିଲେ । ଜଜମାନଙ୍କ ଅନୁପସ୍ଥିତିରେ ସମ୍ପୃକ୍ତ କୋର୍ଟର ପ୍ରଭାବିତ ହେଉଥିବା ବିଚାର ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ବିକଳ୍ପ ଭାବେ ବାଲେଶ୍ୱର ସମେତ ରାଜ୍ୟର ୧୨ଟି ଜିଲ୍ଲାରେ ଏହିଭଳି ସିନିୟର ଡିଭିଜନ କୋର୍ଟ ନୂଆ କରି ଉଦଘାଟିତ ହୋଇଛି ।
ଅଧିକ ପଢ଼ନ୍ତୁ: IPL 2023: ଆଜି ଡବଲହେଡର ମ୍ୟାଚ, ପ୍ଲେ ଅଫ ଖେଳିବାକୁ ହେବ ଜୋରଦାର ଲଢେଇ
ଇଟିଭି ଭାରତ, ବାଲେଶ୍ବର