ବାଲେଶ୍ବର: ଅନ୍ତର୍ଜାତୀୟ ବ୍ରାଉନ ସୁଗାର ମାଫିଆ ସେକ ରାଜା ଏବେ ଏସଟିଏଫ ହେପାଜତରେ । ବାଲେଶ୍ବରରୁ ବାଲାଂଦେଶ ଯାଏଁ ଲମ୍ବିଥିଲା ଏହି କୁଖ୍ୟାତ ଡ୍ରଗ୍ସ ମାଫିଆର ଚେର । ଗିରଫ ହେବା ପରେ ଏବେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି ପୋଲିସ । ଏହାସହ ରାଜାର ବେଆଇନ ସମ୍ପତ୍ତିକୁ ଠାବ କରୁଛି ଏସଟିଏଫ ।
ଗତ 22 ତାରିଖରେ ରାଜାର ଅରଡ ବଜାରରେ ଥିବା ଘର ଉପରେ ଏସଟିଏଫ ଚଢାଉ କରିଥିଲା । ଘରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ସହ ବହୁ ମୁଲ୍ୟବାନ ସାମଗ୍ରୀ ଜବତ କରିଥିଲା । ରାଜାର ବ୍ୟବସାୟିକ ତଥା ଅନ୍ୟ ଲିଙ୍କ ଉପରେ ଖୋଳତାଡ କରୁଛି ଏସଏଟିଏଫର 5 ଜଣିଆ ଟିମ ।
ଆଜି ଅପରାହ୍ନରେ ବାଲେଶ୍ବରର ତେଲେଙ୍ଗା ସାହିର ସମ୍ବେଦନା ଏନକ୍ଲେଭରେ ରାଜା କିଣିଥିବା 56 ଲକ୍ଷ ଟଙ୍କାର 106 ନଂ ଫ୍ଲାଟ ଉପରେ ଏସଟିଏଫ ଚଢାଉ କରି ସିଲ କରିବା ସହ ନୋଟିସ ଲଗାଇଛି । ଗତ ଜୁଲାଇ ମାସରେ ରାଜା ଏହି ଫ୍ଲାଟ କିଣିଥିବା ଏସଟିଏଫ ଜାଣିବା ପରେ ଚଢାଉ କରିଥିଲା । 3ଟି ବେଡରୁମ ବିଶିଷ୍ଟ ଏହି ଫ୍ଲାଟରେ 25 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାଜସଜା ଥିବା ଏସଟିଏଫ ସୂତ୍ରରୁ ଜଣାପଡିଛି ।
ଏହି ଚଢାଉରେ ବାଲେଶ୍ବର ସ୍ପେଶାଲ ଡିଏସପି ମନୋଜ ରାଉତଙ୍କ ସହ ଏସଟିଏଫ ଆଡିସିନାଲ ଏସପି ତେଜରାଜ ପଟେଲ ସାମିଲ ଥିଲେ । ଗିରଫ ରାଜାର ବାଲେଶ୍ବରର 7 ଟି ସ୍ଥାନରେ ସମ୍ପତ୍ତି ଥିବା ଜଣା ପଡିଛି । ଏବେ ଏହିସବୁର ତାଲିକା ପ୍ରସ୍ତୁତ କରୁଛି ଏସଟିଏଫ । ଏହି ସବୁ ମଧ୍ୟ ଜବତ ହେବ ବୋଲି ଜଣାପଡିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରର