ବାଲେଶ୍ଵର: ଜିଲ୍ଲାରେ ବିନା ଘୋଷଣାରେ ଘନ ଘନ ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ଧାରଣାକୁ ଓହ୍ଲାଇଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ।
ବାଲେଶ୍ବର ମୁଖ୍ୟ ସହର ଓ କେତେକ ଅଞ୍ଚଳରେ ବିନା ଘୋଷଣାରେ ବିଦ୍ୟୁତ କାଟ ହେଉଛି । ସହରାଞ୍ଚଳରେ 24ଘଣ୍ଟାରୁ ପ୍ରାୟ 6ରୁ7 ଘଣ୍ଟା ଧରି ପାୱାର କଟ କରାଯାଉଛି । ଗ୍ରାମାଞ୍ଚଳ କଥା ନ କହିବା ଭଲ ବୋଲି କହିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ । ବତ୍ୟା ୟସ ପରେ ଜିଲ୍ଲାରେ ଖୁବ ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦେବାକୁ ଶକ୍ତିମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ବାତ୍ୟା ୟସକୁ 10ରୁ ଅଧିକ ଦିନ ହୋଇଥିଲେ ବି ବିଦ୍ୟୁତ ସେବା ସ୍ବଭାବିକ ହୋଇନାହିଁ । ରାଜ୍ୟ ସରକାରଙ୍କର ଏହି ବ୍ୟବସ୍ଥାରୁ ନିନ୍ଦା କରିଛି ବିଜେପି ଯୁବ ମୋର୍ଚ୍ଚା ।
ବିଦ୍ୟୁତ ବିଭାଗର ଏପରି ଅଘୋଷିତ ବିତ୍ୟୁତ କାଟ ଫଳରେ ମେ ଜୁନ ମାସର ଡହ ଡହ ଖରାରେ ଲୋକ ଅସ୍ତବ୍ୟସ୍ତ ହେଉଛନ୍ତି । ଏପରି ଅଘୋଷିତ ବିଦ୍ୟୁତ କାଟ ବିରୋଧ କରି ବିଜେପି ପକ୍ଷରୁ ସହରର କାଳୀ ମନ୍ଦିର ନିକଟରେ ଥିବା ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଏହା ଜଲଦି ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ