ବାଲେଶ୍ବର: ବାଲେଶ୍ଵର ପୌରପାଳିକା ରାଜ୍ୟର ଅନ୍ୟତମ ସର୍ବପୁରାତନ ପୌରପାଳିକା । ମାତ୍ର ସହରର ଆଖିଦୃଶିଆ ବିକାଶ ନହୋଇପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ଆଣିଛି ବିଜେପି । ନୂତନ ପୌରପରିଷଦର ଗଠନ ହେବାକୁ ବର୍ଷେ ପୁରିବାକୁ ବସିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ନୂତନ ପ୍ରକଳ୍ପର ଶୁଭାରମ୍ଭ ହୋଇପାରିଲା ନାହିଁ । କେନ୍ଦ୍ରର ଜନକଲ୍ୟାଣକାରୀ ମୋଦି ସରକାର ବାଲେଶ୍ବର ସହରର ବିକାଶ ପାଇଁ କୋଟି କୋଟି ଟଙ୍କା ଦେଉଥିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କର ଦୂରଦୃଷ୍ଟିର ଅଭାବ ତଥା ଅପାରଗତା ଏବଂ ଅମଲାତନ୍ତ୍ର ଦ୍ବାରା ପରିଚାଳିତ ଶାସନ ପାଇଁ କାର୍ଯ୍ୟାରମ୍ଭ ହୋଇପାରୁନଥିବା ଅଭିଯୋଗ ଆଣିଛି ବିଜେପି ।
ବାଲେଶ୍ଵରର ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପ୍ରୟାସକ୍ରମେ ବାଲେଶ୍ଵର ସହରର ମୁଖ୍ୟ ରାସ୍ତା ଗୁଡିକ ପୂର୍ବ ବିଭାଗ ଦ୍ବାରା ସମ୍ପାଦନ ହୋଇଥିଲା । କିନ୍ତୁ ବିଧାୟକଙ୍କ ଅକାଳ ବିୟୋଗ ପରେ ଦୁଇ ବର୍ଷ ପୂର୍ବରୁ ହୋଇଥିବା ଉପନିର୍ବାଚନରେ ନିଜେ ମୁଖ୍ୟମନ୍ତ୍ରୀ ବାଲେଶ୍ବରର ଦାୟିତ୍ୱ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଭୋଟ ନେଇ ବିଜୟୀ ହୋଇଥିଲେ ମଧ୍ୟ ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏନେଇ ବିଜେପି ୭ ଦଫା ଦାବି ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ପାଇଁ ଦାବି କରିଛି । ଦାବି ଗୁଡିକ ମଧ୍ୟରେ, ବିନା ଥଇଥାନରେ ଉଠା ଦୋକାନୀମାନଙ୍କ ଉଚ୍ଛେଦ ବନ୍ଦ କରାଯାଉ, ପ୍ରଶାସନର ତୃଟିପୂର୍ଣ୍ଣ ପଦକ୍ଷେପ ଯୋଗୁଁ ଭଙ୍ଗା ଯାଇଥିବା ସ୍ଥାୟୀ ଦୋକାନୀ ଘରର ମାଲିକମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ । ବାଲେଶ୍ୱର ପୌରପରିଷଦର ଉନ୍ନତି ପାଇଁ ଜଣେ ସ୍ଥାୟୀ ଓ ପୂର୍ଣ୍ଣକାଳୀନ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତି କରାଯାଉ ।
ଅମୃତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରି ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସହ ପୂର୍ବରୁ ଅନୁମୋଦିତ ହୋଇଥିବା ନଦୀ ଜଳ ବିଶୋଧନ ପ୍ଳାଣ୍ଟକୁ ତୁରନ୍ତ କାର୍ଯ୍ୟକାରୀ କରିବା । କେନ୍ଦ୍ର ସରକାରଙ୍କ ଅନୁଦାନରେ ମଞ୍ଜୁର ହୋଇଥିବା କୋଟି କୋଟି ଟଙ୍କା ପୌରପରିଷଦରେ ଜମା ଥିବା ସତ୍ତ୍ବେ ବନ୍ଦ ହୋଇପଡିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଉ।
ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଜାଗା ମିଶନରେ ଓ ଗରିବ ହିତାଧିକାରୀଙ୍କୁ ଚୟନ କରି ତୁରନ୍ତ ପକ୍କାଘରର କାର୍ଯ୍ୟାଦେଶ ଦିଆଯାଉ । ଆବେଦନ କରିଥିବା ଅବିବାହିତ ମହିଳା, ବିଧବା, ବୃଦ୍ଧ/ ବୃଦ୍ଧା ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରାଯିବା ଭଳି ଦାବି ଉପସ୍ଥାପନ କରାଯାଇଛି । ଏସବୁ ଦାବି ତୁରନ୍ତ ପୂରଣ କରାନଗଲେ ଆଗାମୀ ଦିନରେ ବିଜେପି ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣାରେ ବସିବ ବୋଲି ଚେତାବନୀ ଦେଇଛି ।
ଇଟିଭି ଭାରତ, ବାଲେଶ୍ବର