ବାଲେଶ୍ଵର: ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଛି। ଏହାସହ ବିଭିନ୍ନ ଦଳ ଅନ୍ୟ ଦଳ ଉପରକୁ ଆରୋପ ପ୍ରତ୍ୟାରୋପ କରୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ କଂଗ୍ରେସ ବାଲେଶ୍ୱରରେ ଏମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପ୍ରସଙ୍ଗ ଉଠାଇଛି।
ଆଜି କଂଗ୍ରେସ କାର୍ଯ୍ୟାଳୟରେ ବିଧାନସଭା କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏକ ସାମ୍ବାଦିକ ସମ୍ମିଳନୀରେ ଏମ୍ସ ପ୍ରତିଷ୍ଠା ନେଇ ଯୁକ୍ତି ବାଢିଛନ୍ତି। କଂଗ୍ରେସ ସରକାର ଏମ୍ସ ହସ୍ପିଟାଲ ପାଇଁ 450 କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ବିଜେଡି ଓ ବିଜେପି ଦଳର ସାଂସଦ ବାଲେଶ୍ଵରରେ କେବଳ ପାଚେରୀ ନିର୍ମାଣ କରି ଚୁପ ବସିଛନ୍ତି।
ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଜିତିଲେ ବାଲେଶ୍ଵରରେ ନିଶ୍ଚୟ ଏମ୍ସ ହସ୍ପିଟାଲ ହେବ ବୋଲି କୁହାଯାଇଛି। ବିଜେଡି ଓ ବିଜେପି ଭିତରେ ସଲାସୁତୁରା ହୋଇଛି, ଯେଉଁଠି କଂଗ୍ରେସ ବାଲେଶ୍ୱରରେ ନିଶ୍ଚୟ ଜିତିବ ବୋଲି ତାରା କହିଛନ୍ତି। ତେବେ ଏମ୍ସକୁ ନେଇ ନିର୍ବାଚନୀ ମୁଦ୍ଦା ରଖିଥିବା କଂଗ୍ରେସ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ।
ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ