ବାଲେଶ୍ଵର: ନର୍ସିଂ ଛାତ୍ରୀ ଲିପ୍ସା ବେହେରାଙ୍କୁ ନ୍ୟାୟ ଦାବିରେ ଜିଲ୍ଲା ଛାତ୍ର କଂଗ୍ରେସର(NSUI) ସାମ୍ବାଦିକ ସମ୍ମିଳନୀ । ଜିଲ୍ଲାରେ ଏକ ଘରୋଇ ନର୍ସିଂହୋମ କଲେଜର ଛାତ୍ରୀଙ୍କ ମୃତ୍ୟୁ ଘଟଣାର ଉଚିତ ତଦନ୍ତ ଦାବି କରିଛି ଛାତ୍ର କଂଗ୍ରେସ । ଆଗାମୀ 7 ଦିନ ମଧ୍ୟରେ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦେଇଛନ୍ତି ବାଲେଶ୍ବର ଜିଲ୍ଲା ଛାତ୍ର କଂଗ୍ରେସର ସଦସ୍ୟ ।
ସୂଚନା ଅନୁସାରେ, ଗତ 7 ତାରିଖରେ କଟକ ବଡ ମେଡିକାଲରେ ଲିପ୍ସା ବେହେରା ନାମଙ୍କ ଜଣେ ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । କିଛିଦିନ ପୂର୍ବରୁ ନର୍ସିଂ ହଷ୍ଟେଲରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା । ଏନେଇ ସଦର ଥାନାରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା ।
ଘଟଣାକୁ ସପ୍ତାହେ ବିତିଥିଲେ ମଧ୍ୟ ଏହି ଘଟଣା ଉପରୁ ଏଯାବତ ପରଦା ଉଠିନାହିଁ କିମ୍ବା ମୃତ୍ୟର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଏହି ସନ୍ଦେହଜନକ ଛାତ୍ରୀ ମୃତ୍ୟ ଘଟଣାରେ ପୋଲିସ ତଦନ୍ତ ଶିଥିଳ ଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଏନେଇ ତୁରନ୍ତ ସଠିକ ତଦନ୍ତ କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛି ସଂଗଠନ ।
ଇଟିଭି ଭାରତ ବାଲେଶ୍ଵର