ବାଲେଶ୍ବର: ଘର ଭିତରେ ଦିନରେ ଦେଖାଯାଉଛନ୍ତି ସୂର୍ଯ୍ୟ ଆଉ ରାତିରେ ଜହ୍ନ । ବର୍ଷା ଦିନରେ ତ କଥା ସରିଲା, ଘର ଭିତରେ ଆଣ୍ଠୁଏ ପାଣି ଲହରୀ ମାରେ । ଭିକ୍ଷାବୃତ୍ତି କରି ପେଟକୁ ଗଣ୍ଡେ ଦାନା ମିଳିଯାଉଛି ସିନା ହେଲେ ଘର ଖଣ୍ଡେ ସାତ ସପନ ପାଲଟିଛି । ବୟସର ଅପରାହ୍ନରେ ଆଜି ସେ ଅସହାୟ ପାଲଟି ଥିବାବେଳେ ସରକାରୀ ସହାୟତା ସତେ ଯେମିତି ତାଙ୍କ ଠାରୁ ବହୁ ଦୂରରେ ଥିବାପରି ଲାଗୁଛି । ଏମିତି ସରକାରୀ ଯୋଜନାର ଉଦାସୀନତା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ବାଇଗଣ୍ଡିଆ ଗ୍ରାମର ବୃଦ୍ଧା ଗୌରୀମଣି ଦାସଙ୍କ ଠାରେ ।
ଭଙ୍ଗା କୁଡିଆରେ ବିତୁଛି ଗୌରୀଙ୍କ ଜୀବନ, ସରକାରୀ ସହାୟତାକୁ ଅପେକ୍ଷା ଗ୍ରାମର ଗୌରୀମଣି ଜଣେ ଏକୁଟିଆ ପ୍ରାଣୀ । ନା ସେ କାହାକୁ ବିବାହ କରିଛନ୍ତି ନା ତାଙ୍କର କେହି ସମ୍ପର୍କୀୟ ଅଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ରୋଜଗାରର ମାଧ୍ୟମ ନଥିବା ସହ ଶରୀରରେ ବଳ ମଧ୍ୟ ନାହିଁ । ଏମିତି ପରିସ୍ଥିତିରେ ଗୌରୀମଣି ମାଗିଯାଚି ପେଟକୁ ଦାନା ଯୋଗାଉଛନ୍ତି । ଏଥିରେ ପୁଣି ଖରା ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଘର ଖଣ୍ଡିଏ ନାହିଁ । ସରକାରୀ ସ୍ତରରେ ଗୌରୀଙ୍କୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ପ୍ରୟାସ କରିଥିଲେ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳି ନଥିବା ଜଣାପଡିଛି । ତେବେ ତାଙ୍କୁ କେବେ ସରକାରୀ ସହାୟତା ମିଳୁଛି ତାହାହିଁ ଦେଖିବାକୁ ବାକି ରହିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ