ବାଲେଶ୍ବର: ମୁଖ୍ୟମନ୍ତ୍ରୀଙ୍କ 'ମୋ ସରକାର'ର ବଡ ପ୍ରଭାବ । ଲାଞ୍ଚ ନେଇଥିବା ତିନି ପଞ୍ଚାୟତ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ । ଲାଞ୍ଚ ନେବା ଅଭିଯୋଗରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ପଶ୍ଚିମବାଡ଼ ପଞ୍ଚାୟତର ଜିଆରଏସ ସବିତା ପୃଷ୍ଟିଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଏହାସହ ପିଇଓ ସୁଶାନ୍ତ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଓ ଜେଇ ଦୀନେଶ କୁମାର ଆଢ୍ୟଙ୍କୁ ଉକ୍ତ ପଞ୍ଚାୟତ ଦାୟିତ୍ବରୁ କାଢି ନିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଆବାସ ଯୋଜନା ବାବଦରେ ମୋ ସରକାରରୁ ହିତାଧିକାରୀମାନଙ୍କୁ ଫୋନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ହିତାଧିକାରୀ ପଞ୍ଚାୟତର ଦୁର୍ନୀତି ସମ୍ପର୍କରେ ସୂଚନା ଦେଇଥିଲେ ।
ଏହାପରେ ବାଲେଶ୍ବର ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା । ତଦନ୍ତ ପରେ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେବା ଘଟଣା ସାମ୍ନାକୁ ଆସିଥିଲା। ଏହି ଲାଞ୍ଚ କାରବାରରେ ଅନ୍ୟ ଅଧିକାରୀମାନେ ସମ୍ପୃକ୍ତ ଥିବା ତଦନ୍ତ ବେଳେ ଜଣାପଡିଥିଲା । ଯାହାକୁ ନେଇ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏମିତି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ