ବାଲେଶ୍ଵର: ସତରେ ଜଣେ ଦୃଢମନା ମଣିଷ ଆଗରେ ସବୁକିଛି ସମ୍ଭବ କରିବାର କ୍ଷମତା ରହିଥାଏ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଜିର ସ୍ୱାର୍ଥବାଦୀ ସମାଜରେ ଆଗକୁ ବଢି ନିଜ ସହ ଅନ୍ୟର ପରିବାର ଚଳାଇବାରେ ସେ ହେଉଛନ୍ତି ସହାୟକ । ଦୁନିଆ ଯେବେ ତାଙ୍କୁ ଦିବ୍ୟାଙ୍ଗର ଆଖ୍ୟା ଦେଇଥିଲା ସେତେବେଳେ ସେ ନିଜକୁ ସକ୍ଷମ ଭାବି ଦୁନିଆ ଦାଣ୍ଡରେ ନିଜର ଅନ୍ତର୍ନିହିତ ଗୁଣର ବିକାଶ କରି ଅନ୍ୟମାନଙ୍କ ପାଇଁ ପାଲଟି ଗଲେ ପ୍ରେରଣା। ନିଜର ଅକ୍ଷମତାକୁ କେବେବି ସେ ଦୁର୍ବଳତା ବୋଲି ନଭାବି ନିଜର ପରିବାର ତଥା ଅନ୍ୟର ପରିବାର କଥା ସେ ଚିନ୍ତା କରିଛନ୍ତି । ଆମେ କହୁଛୁ ସେମିତି ଜଣେ ଦିବ୍ୟାଙ୍ଗ ମହିଳା ଉର୍ମିଳାଙ୍କ କଥା।
ସରକାର ନାରୀ ସଶକ୍ତିକରଣର ନାରା ଦେଉଥିବାବେଳେ ଏମିତି ଜଣେ ନାରୀ ଯିଏ ଅନ୍ୟ ନାରୀମାନଙ୍କୁ ସଶକ୍ତ କରାଉଛନ୍ତି ତାଙ୍କ ପ୍ରତି ଦୃଷ୍ଟି ପଡୁନି। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ କେବେବି ଉର୍ମିଳା ଜୀବନ ବାଜିରେ ହାରି ନଯାଇ ଆଜି ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା ସତରେ ପ୍ରଶଂସା ଯୋଗ୍ୟ । ଆଜିର ଏମିତି ଉଦ୍ୟୋଗୀ ମହିଳାମାନଙ୍କ ପ୍ରତି ସରକାରୀ ସ୍ତରରେ ଦୃଷ୍ଟି ପଡିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ