ବାଲେଶ୍ବର: ସେନାରେ ଯୋଗ ଦେବା କଥା ଶୁଣିଲେ ଛାତିରେ ଖେଳିଯାଏ ଅଜଣା ଭୟ । ଘରଦ୍ବାର, ପ୍ରିୟ ପରିଜନଙ୍କଠାରୁ ଅଲଗା ରହି ସାରା ଜୀବନ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଦରକାର ଦୃଢ ଆତ୍ମବିଶ୍ବାସ ଓ କଠୋର ପରିଶ୍ରମ । ହେଲେ ଏହି ଭୟକୁ ପରମ୍ପରାରେ ପରିବର୍ତ୍ତନ କରିଛନ୍ତି ବସ୍ତା ବ୍ଲକ ଅଧିନସ୍ଥ ରଘୁନାଥପୁର ପଞ୍ଚାୟତର ଆମ୍ବକୁଡୁଚି ଗାଁର ଯୁବପିଢି ।
ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ହେବ ଏହି ଗାଁର ପ୍ରତ୍ୟେକ ଯୁବକ ଯୁବତୀ ନିଜକୁ ସେନାରେ ସାମିଲ କରିବା ପାଇଁ ତାଲିମ ନେଇ ଆସୁଛନ୍ତି । ଆଉ ଏଥିପାଇଁ ଭୋର 4ଟାରୁ ଗାଁ ସ୍କୁଲ ପାଖରେ ଏକାଠି ହୋଇଯାଆନ୍ତି ସମସ୍ତ ସେନାରେ ଭର୍ତ୍ତି ହେବାକୁ ଇଚ୍ଛୁକ ଯୁବକ ଯୁବତୀ । କଦମତାଲ, ଲଙ୍ଗ ଜମ୍ପ, ହାଇ ଜମ୍ପ, ଡିପ୍ସ ଓ ରୋପ ରାଇଡିଂ ପରି ସେନାରେ ଦିଆଯାଉଥିବା ସମସ୍ତ ତାଲିମ ପ୍ରକ୍ରିୟାକୁ ଗାଁରେ ଗ୍ରହଣ କରନ୍ତି ଏହି ଯୁବପିଢି ।
ଗାଁରେ ପ୍ରାୟ 570 ପରିବାର ଥିବାବେଳେ ପ୍ରତି ପରିବାରରୁ ଜଣେ ଲେଖାଏଁ ଏହି ତାଲିମରେ ଯୋଗ ଦେବାର ଦେଖିବାକୁ ମିଳିଛି । ଆଉ ଏଥିରେ ସାହାଯ୍ୟର ହାତ ବଢାଇଛନ୍ତି ସେନାରେ କାର୍ଯ୍ୟରତ ଥିବା ଗାଁର ବଡ ଭାଇମାନେ । ଏପର୍ଯ୍ୟନ୍ତ ଗାଁରୁ 15 ଜଣ ସେନାରେ ଯୋଗ ଦେଇଥିବାବେଳେ ଏବେ ଅନ୍ୟ 3 ସେନାରେ ଯୋଗ ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।
ଯେଉଁ ସମୟରେ ଯୁବପିଢି ପଥଭ୍ରଷ୍ଟ ହେଉଥିବାର ଅନେକ ନଜିର ରହିଛି ସେପରି ପରିସ୍ଥିତିରେ ଗାଁର ଏହି ନିଆରା ପରମ୍ପରା ଅନେକଙ୍କ ଉଦାହରଣ ଓ ଆଦର୍ଶ ପାଲଟିଛି । ଏହା ନା ଯେ କେବଳ ଜଣଙ୍କୁ ସେନାରେ ସାମିଲ ହେବା ପାଇଁ ପ୍ରସ୍ତୁତ କରୁଛି ବରଂ ଏହା ମହିଳାମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଉଥିବା ପ୍ରକାଶ କରିଛନ୍ତି ତାଲିମ ନେଉଥିବା ଯୁବକ ଓ ଯୁବତୀ । ହେଲେ ଏହି ତାଲିମ ପ୍ରକ୍ରିୟାରେ ରହିଛି କେତେକ ବାଧକ ବା ଅଭାବ ।
ବର୍ତ୍ତମାନ ଗ୍ରାମବାସୀଙ୍କ ଦ୍ବାରା ଚାନ୍ଦା ଆଦାୟ କରାଯାଇ ତାଲିମ ପ୍ରକ୍ରିୟା ଚାଲିଥିବା ବେଳେ ଆଗକୁ ବଢିବାକୁ ବେଳେ ଆବଶ୍ୟକ ଅଧିକ ସୁବିଧା ଓ ସୁଯୋଗ । ତେଣୁ ସରକାର ଯଦି ତାଲିମ ପ୍ରକ୍ରିୟାରେ କିଛି ଅତ୍ୟାଧୁନିକ ସାମଗ୍ରୀ ଯୋଗାଇବା ସହ ଏହାକୁ ଗ୍ରାମାଞ୍ଚଳରୁ ଜିଲ୍ଲା ତଥା ରାଜ୍ୟସ୍ତରକୁ ପହଞ୍ଚାଇବାରେ ସାହାଯ୍ୟ କରନ୍ତେ ତାହେଲେ ହୁଏତ ଉପକୃତ ହୋଇପାରନ୍ତେ ଆହୁରି ଅନେକ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ