ବାଲେଶ୍ବର: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସାରା ବିଶ୍ବରେ ଭୟର ବାତାବରଣ ଖେଳି ଯାଇଛି । ଉଭୟ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଥିବାବେଳେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ନେଇ ଚିନ୍ତାର ବିଷୟ ପାଲଟିଛି । ଅନେକ ଭାରତୀୟଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାର ଡାକ୍ତରୀ ଛାତ୍ରମାନେ ମଧ୍ୟ ଫସି ରହିଛନ୍ତି ।
ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରୁ ୟୁକ୍ରେନକୁ ଡାକ୍ତରୀ ପାଠ ପଢିବାକୁ ଯାଇଥିବା ଛାତ୍ରମାନେ ସେଠାରେ ଫସି ରହିଥିବା ଜଣାପଡ଼ିଛି । ସେହି ଅଞ୍ଚଳର ପ୍ରାୟ 3 ଜଣ ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢୁଥିଲେ । ସେଠାକାର ଭୟଙ୍କର ଯୁଦ୍ଧ ପରିସ୍ଥିତି ଭିତରେ ଛାତ୍ରମାନେ ଯେତିକି ଭୟଭୀତ ଅଛନ୍ତି ସେମାନଙ୍କ ପରିବାର ଲୋକେ ମଧ୍ୟ ସେତିକି ଚିନ୍ତିତ ରହିଛନ୍ତି ।
ସୋର ଥାନା ଜଡ଼ିଦା ପଞ୍ଚାୟତ ବାଘୁଆ ଗ୍ରାମର ରତ୍ନାକର ମୁଦୁଲିଙ୍କ ପୁଅ ହିତାଂଶୁ ଶେଖର ମୁଦୁଲି ଶେଷ ବର୍ଷର ଡାକ୍ତରୀ ଛାତ୍ର ଭାବେ ୟୁକ୍ରେନରେ ରହି ପାଠ ପଡ଼ୁଥିଲେ । ସେହିପରି ମଦନ ଚରଣ ସ୍ବାଇଁଙ୍କ ପୁଅ ରଶ୍ମିରଞ୍ଜନ ସ୍ବାଇଁ ଏବଂ ଲକ୍ଷ୍ମଣ ପଣ୍ଡାଙ୍କ ପୁଅ ଶାଶ୍ବତ ପଣ୍ଡା ଦ୍ବିତୀୟ ବର୍ଷର ଡାକ୍ତରୀ ଛାତ୍ର ହୋଇଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ Russia-Ukraine Crisis: ବାଇଡେନଙ୍କ ଘୋଷଣା, ଋଷର ସବୁ ସମ୍ପତ୍ତି ଅଚଳ କରିବ ଆମେରିକା
ଏଭଳି ପରିସ୍ଥିତିରେ ପିଲାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ଅଭିଭାବକଙ୍କ ଚିନ୍ତା ବହୁମାତ୍ରାରେ ବୃଦ୍ଧି ପାଇଛି । ତେବେ ଘରକୁ ଆସିବା ପାଇଁ ଫ୍ଲାଇଟ ଟିକେଟ ସରିଥିଲା । ରାତି ପାହିଥିଲେ ସେମାନେ ଘରକୁ ଆସିଥାନ୍ତେ । କିନ୍ତୁ ଗୋଟେ ଦିନ ଆଗରୁ ଫ୍ଲାଇଟ ବାତିଲ ହେବା ପରେ ସେମାନେ ୟୁକ୍ରେନରେ ଫସି ରହିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ