ବାଲେଶ୍ୱର: ପୁଣି ଜବତ ହେଲା ଧଳା ଜହର। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ଚଢ଼ାଉରେ ଧରା ପଡିଛନ୍ତି 3ଜଣ ଧଳା ଜହର ବେପାରୀ। ଏହାସହ କାର, ମୋବାଇଲ ଓ ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ପଶ୍ଚିମବଙ୍ଗରୁ ଭୁବନେଶ୍ୱରକୁ ହେରୋଇନ ଚାଲାଣ ବେଳେ 60 ନମ୍ୱର ଜାତୀୟ ରାଜପଥର ସୀମାନ୍ତ ଅଞ୍ଚଳରୁ 120 ଗ୍ରାମ ହେରାଇନ ଜବତ କରିଛି ଅବକାରୀ ବିଭାଗ। ଏହାସହ 3ଟି ମୋବାଇଲ, 2820 ଟଙ୍କା, ସହିତ ଏକ ଧଳା ରଙ୍ଗର ଇଣ୍ଡିଗୋ କାର ( OR-06J8866 ) ଜବତ କରାଯାଇଛି।
ଜବତ ହେରୋଇନର ଆନୁମାନିକ ମୂଲ୍ୟ 12ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଧଳା ଜହର ଚାଲାଣ କରୁଥିବା 3ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜଗତସିଂହପୁର ଅଞ୍ଚଳର ଶିବପ୍ରସାଦ ମହାନ୍ତି ଏହି କାରବାରରେ ମୁଖ୍ୟ ବୋଲି ଜଣାପଡିଛି। ତାଙ୍କ ସହ ଖୋର୍ଦ୍ଧା ଅଞ୍ଚଳର ସୁବାଷ ଭୋଇ ଓ ଚନ୍ଦନ ଭୋଇଙ୍କୁ ଗିରଫ କରାଯାଇଛି । ତେବେ ଜଳେଶ୍ବର ନିଶା କାରବାରର ପେଣ୍ଠସ୍ଥଳୀ ପାଲଟି ଥିବାରୁ ନିୟମିତ ଚଢ଼ାଉ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ