ବଲାଙ୍ଗୀର: ପେଟ୍ରୋଲ ପମ୍ପରେ ଅସାମାଜିକ ଯୁବକଙ୍କ ଉନ୍ମତ କାଣ୍ଡ । ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ୍ରେ ଆତଙ୍କ ଖେଳାଇଲେ ଯୁବକ । ହେଲେ ସାହାସ ଦେଖାଇ ଅସାମାଜିକ ଯୁବକ ଜଣକୁ କାବୁ କରିନେଲେ କର୍ମଚାରୀ । ତା'ଠାରୁ ବନ୍ଧୁକ ଛଡାଇ ନେଇ ଉତ୍ତମ ମଧ୍ୟମ ଦେଲେ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅନ୍ତର୍ଗତ ବେଲପଡ଼ା ରାସ୍ତାରେ ଥିବା ବନମାଳି ପେଟ୍ରୋଲ ପମ୍ପରେ ଏହି ଘଟଣା ଘଟିଛି । ତେବେ ଏହି ଘଟଣାଟି ଗତ ୨୭ ତାରିଖର ହୋଇଥିବା ବେଳେ ଏବେ ଏହାର ସିସିଟିଭି ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ, ୨୭ ତାରିଖ ଦିନ ଜଣେ ଯୁବକ ଦିନ ବେଳେ ବନମାଳି ପେଟ୍ରୋଲ ପମ୍ପ୍କୁ ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ସେ ଏକ ବନ୍ଧୁକ କାଢି଼ି ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଦେଖାଇଥିଲେ । ହେଲେ କର୍ମଚାରୀ ଜଣକ ଏଥିରେ ଭୟଭୀତ ନହୋଇ କାହିଁକି ଏମିତି କରୁଛୁ କହି ଯୁବକଙ୍କ ପାଖକୁ ଯାଇଥିଲେ ।
ଏହାପରେ ସାହସ ଦେଖାଇ ସେ ଯୁବକର ହାତକୁ ଧରି ପକାଇବା ସହ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଏହାଦେଖି ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ତତକ୍ଷଣାତ୍ ସେଠାକୁ ଦୌଡି ଆସି ଯୁବକକୁ କାବୁ କରିବା ସହ ବନ୍ଧୁକ ଛଡାଇ ନେଇଥିଲେ । ଏହାପରେ ସମସ୍ତେ ମିଶି ତାଙ୍କୁ ନିର୍ଦ୍ଧୁମ ଛେଚିଥିଲେ । ଏହି ସମୟର ଭିଡିଓ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । କିପରି କର୍ମଚାରୀମାନେ ସମ୍ପୃକ୍ତ ଅସାମାଜିକ ଯୁବକକୁ କାବୁ କରିଥିଲେ ତାହା ଫୁଟେଜର ସ୍ପଷ୍ଟ ଦେଖାଯାଇଛି ।
ଏହାମଧ୍ୟ ପଢନ୍ତୁ: ଜେଲରୁ ବାହାରି ବଡ଼ ଭାଇ ବିକୁଥିଲା ଡ୍ରଗ୍ସ, ପୋଲିସ ମିତ୍ର ସାନଭାଇ କରୁଥିଲା ସହଯୋଗ
ତେବେ ଏହି ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ଏବେ ଭିଡିଓ ଭାଇରାଲ ହେବାପରେ ସମସ୍ତେ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ସାହସିକତାକୁ ପ୍ରଶଂସା କରୁଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ବନ୍ଧୁକ ମୁନରେ ଡକାୟତିର ଅନେକ ଅଭିଯୋଗ ହୋଇଆସୁଛି । ଏହି ଘଟଣା ପରେ ଏଭଳି ଅପରାଧିମାନେ କିଛି ମାତ୍ରାରେ ବାଟକୁ ଆସିବେ ବୋଲି କୁହାଯାଇଛି ।
ଇଟିଭି ଭାରତ, ବଲାଙ୍ଗୀର