ବଲାଙ୍ଗୀର: ରାସ୍ତାକଡ଼ରୁ ଯୁବକଙ୍କ ମୃତ ଦେହ ମିଳିବା ଘଟଣା ନେଇଛି ନୂଆମୋଡ । ହତ୍ୟା ଅଭିଯୋଗରେ ଥାନା ଘେରାଉ କରିଛନ୍ତି ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟରୁ ମିଳିଥିଲା ଯୁବକଙ୍କ ମୃତଦେହ ।
ଗତ 7 ତାରିଖରେ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ବେଲାପଡା ରାସ୍ତା ଗଞ୍ଜାବାହଲ ଗ୍ରାମ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ଜଣକ ଗଞ୍ଜାବାହଲ ଗ୍ରାମର ଗଣପତି ବଛା ବୋଲି ଜଣାପଡିଥିଲା । ସେପଟେ ଯୁବକଙ୍କୁ ହତ୍ୟା ହୋଇଥିବା ନେଇ ପରିବାର ଲୋକେ ଲିଖିତ ଭାବରେ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି ପଦକ୍ଷେପ ନେଉ ନ ଥିବାର ଅଭିଯୋଗ କରି ଆଜି ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ବଙ୍ଗୋମୁଣ୍ଡା ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ଦୋଷୀଙ୍କୁ ଶୀଘ୍ର ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ