ବଲାଙ୍ଗୀର: ଜିଲ୍ଲାର ସାଲେପାଲିଠାରେ ଜଣେ ଯୁବକଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା ଘଟଣାର ଆଜି ପୋଲସ ପର୍ଦ୍ଦାଫାଶ କରିଛି। ତେବେ ଏଥିରେ ପୋଲିସ ମୃତକର ସାନ ଭାଇକୁ ଗିରଫ କରିଛି । ମାଆ ବାପାଙ୍କୁ ମାଡ ମାରିଥିବାରୁ ସାନ ଭାଇ ହିଁ ତାକୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ସାନ ଭାଇ ଜଣକ ବଡ଼ ଭାଇକୁ ୮ରୁ ୧୨ ଖଣ୍ଡ କରିଥିବା ଦେଖିବାକୁ ମିଳିଛି ।
ଏକ ବନ୍ଦ କୋଠରୀରୁ ଗତ ୧୭ ତାରିଖରେ ଉଦ୍ଧାର ହୋଇଥିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ । ଯେଉଁଥିରେ ପ୍ରଥମେ ଯୁବକକୁ ହତ୍ୟା କରାଯିବା ପରେ ତାକୁ ୮ରୁ ୧୨ ଖଣ୍ଡ କରାଯାଇଥିଲା । ତେବେ ବଲାଙ୍ଗୀର ସାଲେପାଲିଠାରେ ଏହି ବିଭତ୍ସ ହତ୍ୟା କାଣ୍ଡ ଘଟିଥିଲା । ଯେଉଁଥିରେ ଯୁବକ ରିଙ୍କୁ ମେହେରଙ୍କୁ ବର୍ବୋରଚିତ ଭାବରେ ହତ୍ୟା କରାଯିବା ସହ ତାର ଶରୀରକୁ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରାଯାଇ କଲା ପଲିଥିନରେ ଭର୍ତ୍ତି କରାଯାଇଥିଲା । ଏନେଇ ପୋଲିସ ଖବର ପାଇବା ପରେ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଏହା ବି ପଢନ୍ତୁ- ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯାଗ ଆଣିଲେ ପରିବାର ଲୋକେ
ଫରେନ୍ସିକ ତଥ୍ୟ ଆଧାରରେ ପୋଲିସର ଏକ ସ୍ବତନ୍ତ୍ର ଟିମ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ପୋଲିସ ମୃତ ରିଙ୍କୁ ମେହେରଙ୍କ ସାନ ଭାଇ ପିଙ୍କୁ ମେହେର ଓରଫ ଶଙ୍କର ଭବାନୀ ମେହେର ହିଁ ହତ୍ୟାକାରୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଆଜି ପୋଲିସ ଅଭିଯୁକ୍ତ ସାନଭାଇକୁ ବୁର୍ଲାରୁ ଗିରଫ କରିଛି । ଅଭିଯୁକ୍ତକୁ ନେଇ ଘଟଣା ସ୍ଥଳରେ ସିନ ରିକ୍ରିଏସନ ମଧ୍ୟ କରାଯାଇଛି। ହତ୍ୟାରେ ବ୍ୟବହୃତ ଏକ ନଲା ଟାଙ୍ଗିଆ ପୋଲିସ ଜବତ କରିଛି। ତେବେ ମୃତ ଯୁବକ ରିଙ୍କୁ ମେହେର ଘରେ ସବୁବେଳେ ମାଆ ବାପାଙ୍କୁ ମାଡ ମାରୁଥିଲା । ଯେଉଁଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଥିବାର ପୋଲିସ କହିଛି।
ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ଏଥିରେ ସବିଶେଷ ସୂଚନା ଦେଇଛନ୍ତି । ରିଙ୍କୁ ମେହେର ସହ ତାଙ୍କ ସାନ ଭାଇ ଓ ମାଆ ବାପା ରହୁଥିଲେ। ତେବେ ରିଙ୍କୁ ଘରେ ସବୁବେଳେ ଝଗଡା କରିବା ସହ ମାଆ ବାପାଙ୍କୁ ବାରମ୍ବାର ମାଡ ମାରୁଥିଲା । ସେହିପରି କିଛି ଦିନ ପୂର୍ବରୁ ସେ ବାପାଙ୍କୁ ମାଡ଼ ମାରିଥିଲା । ଯେଉଁଥିରେ ତା' ବାପା ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଥିଲେ । ସେହିପରି ଗତ ୧୩ ତାରିଖରେ ପୁଣି ତାଙ୍କ ବାପାଙ୍କୁ ଶ୍ବାସରୋଗ ଯୋଗୁଁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସାନ ପୁଅ ଗତ ୧୪ ତାରିଖରେ ଘରକୁ କୌଣସି ଜିନିଷ ଆଣିବାକୁ ଆସିଥିବା ବେଳେ ରିଙ୍କୁ ମେହେର ତାକୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା । ଏଥିରେ ସାନ ଭାଇ ଉତକ୍ଷିପ୍ତ ହୋଇ ତାକୁ ଏକ ନିଆଁ ଜାଳିବା ଲୁହା ନଲାରେ ମୁଣ୍ଡକୁ ଜୋରରେ ପ୍ରହାର କରିଥିଲା । ଯାହାଫଳରେ ରିଙ୍କୁ ମେହେରର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ସେ ଏକ ଟାଙ୍ଗିଆରେ ମୃତଦେହକୁ ଖଣ୍ଡ ଖଣ୍ଡ କରିଥିଲା । ଦେହାବଶେଷକୁ ଫିଙ୍ଗିବା ପାଇଁ ସେ ଏକ କଳା ଜରିରେ ଭର୍ତ୍ତି କରିଥିଲା । ମାତ୍ର ଏହାକୁ ସେ ଫିଙ୍ଗିବାରେ ସଫଳ ହୋଇପାରିନଥିଲା ବୋଲି ଏସଡିପିଓ କହିଛନ୍ତି । ଘରୋଇ କଳହ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟି ଥିବାର ଏସଡିପିଓ କହିଛନ୍ତି । ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର