ବଲାଙ୍ଗୀର: ପ୍ରେମ କରି ଘର ଛାଡି ପଳାଇଥିଲେ ପ୍ରେମୀ ଯୁଗଳ । ବିବାହ କରିନଥିଲେ ମଧ୍ୟ ରହୁଥିଲେ ଏକାଠି । ଭାବିଥିଲେ ଜୀବନଟାକୁ ଖୁସିରେ ଖୁସିରେ ଅତିବାହିତ କରି ଦେବେ । ଦିନ ଗଡିବା ସାଙ୍ଗକୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେଲା । ପ୍ରେମିକା ଜଣଙ୍କ ଏକ ଶିଶୁକୁ ଜନ୍ମ ମଧ୍ୟ ଦେଇଥିଲେ । କିନ୍ତୁ ହସ ଖୁସିର ଏହି ସଂସାରରେ ଯେମିତି କାହାର ନଜର ଲାଗିଗଲା । ଅଧା ରାସ୍ତାରେ ପ୍ରେମିକାକୁ ଏକା କରି ଆରପାରିକୁ ଚାଲିଗଲା ପ୍ରେମିକ । କିନ୍ତୁ ଦୁଃଖର ବିଷୟ ହେଉଛି ପ୍ରେମିକର ମୃତ୍ୟୁ ପରେ ବି ଉଭୟଙ୍କ ପ୍ରେମକୁ ସମାଜରେ ମିଳିଲା ନାହିଁ ସ୍ବୀକୃତି ।
ଜାତି ଅଲଗା ହୋଇଥିବାରୁ ଯୁବଙ୍କ ମୃତଦେହକୁ ଛୁଇଁଲେ ନାହିଁ ପରିବାର ଲୋକେକି ଯୁବତୀଙ୍କୁ ଗ୍ରହଣ କଲାନି ସମାଜ । ଶେଷରେ ପ୍ରେମିକର ମୃତଦେହକୁ ସତ୍କାର କଲା ସ୍ୱେଚ୍ଛାସେବୀ ସଂଗଠନ ଓ ଥଇଥାନ କେନ୍ଦ୍ରକୁ ଗଲା ପ୍ରେମିକା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ମୃତକ ଜଣଙ୍କ ହେଉଛନ୍ତି ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ରୋହିତ ଥପା।
ମିଳିଥିବା ସୂଚନା ଅନୁଯାୟୀ, ପ୍ରେମରେ ପଡିବା ପରେ ଗତ 2022ରେ କବିତା ସାହୁ ଓ ରୋହିତ ଥପା ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଜାତି ଅଲଗା ଅଲଗା ଥିବାରୁ ଉଭୟ ଘରୁ ବାହାରି ତାମିଲନାଡୁ ପଳାଇଥିଲେ । ବିବାହ କରିନଥିଲେ ମଧ୍ୟ ଦୁଇ ପ୍ରେମୀ ଯୁଗଳ ସେଠାରେ କିଛିଦିନ ରହିଥିଲେ । ଏହାପରେ ଉଭୟ ବଲାଙ୍ଗୀର ଫେରି ଏକ ଭଡା ଘରେ ରହିଥିଲେ । ଦୁଇ ପ୍ରେମୀ ଯୁଗଳ ତାଙ୍କର ପ୍ରେମ ସଂସାରରେ ଖୁବ ଖୁସି ଥିଲେ । ଅଭାବ ଅନାଟନରେ ମଧ୍ୟ ଖୁସିରେ ଖୁସିରେ ସମୟ ବିତୁଥିଲା । ଇତି ମଧ୍ୟରେ ରୋହିତ ଥପା ମଦ ପାନ କରିବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିଲା । ଯାହାକୁ କେନ୍ଦ୍ର କରି ଗତକାଲି ପ୍ରେମିକ ରୋହିତ ଥପାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା।
ଯାହାକୁ ନିଜ ଜୀବନର ସବୁକିଛି ଭାବି ହାତ ଧରିଥିଲେ କବିତା ସେ ଅଧା ବାଟରେ ଛାଡି ଦେଇ ଆରପାରିକୁ ଚାଲିଗଲେ । ଆଉ ଏବେ ଏକା ହୋଇଗଲେ କବିତା ସାହୁ । ପରିସ୍ଥିତି ଏପରି ହେଲା ଯେ ପ୍ରେମିକଙ୍କ ମୃତ୍ୟୁ ପରେ ମଧ୍ୟ ସମାଜ ସେମାନଙ୍କୁ ସ୍ୱୀକାର କଲାନାହିଁ । ଏପରିକି ପ୍ରେମିକର ମୃତଦେହ ପାଖକୁ ତାଙ୍କ ପରିବାର ଲୋକେ ଓ ସମ୍ପର୍କୀୟ ମଧ୍ୟ ଆସିଲେ ନାହିଁ । ଶେଷରେ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ରୋହିତ ଥପାଙ୍କ ମୃତଦେହକୁ ଶ୍ମଶାନରେ ସତ୍କାର କରିଥିଲେ।
ସେପଟେ ଅସରନ୍ତି ଦୁଃଖର ପାହାଡ଼ ଏବେ କବିତାଙ୍କ ମୁଣ୍ଡ ଉପରେ । କୋଳରେ ଏକ ଚାରି ମାସର ଶିଶୁ ଥିବା ବେଳେ ସ୍ବେଚ୍ଛାସେବୀ ସଂଗଠନ ଓ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହାୟତାରେ ଥଇଥାନ କେନ୍ଦ୍ର ସ୍ୱଧାର ଗୃହରେ ରହିଛନ୍ତି କବିତା । ଏନେଇ କବିତା ସାହୁ କହିଛନ୍ତି ଯେ, ''ଶୁକ୍ରବାର ରାତି ମଦ ପିଇ ଘରକୁ ଆସିବା ପରେ ଆମ ଦୁହେଁଙ୍କ ମଧ୍ୟରେ କଳହ ହୋଇଥିଲା । ଏହାପରେ ସେ ଆତ୍ମହତ୍ୟା କରିଥିଲେ। ''
ସେପଟେ ନିଜର ସେବା ଓ ମାନବିକତା ପାଇଁ ଚର୍ଚ୍ଚାରେ ରହିଥିବା ବଲାଙ୍ଗୀର ପୌରାଧ୍ୟକ୍ଷା କବିତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସ୍ବେଚ୍ଛାସେବୀ ସଂଗଠନର ସୂଚନା ପରେ ସେ ନିଜେ ଡାକ୍ତରଖାନା ଯାଇ ଅସହାୟ ପ୍ରେମିକା କବିତା ସାହୁ ଓ ତାଙ୍କ ଚାରି ମାସର ଶିଶୁକୁ ଭେଟିଥିଲେ । ପରେ ସେ ସ୍ବେଚ୍ଛାସେବୀ ସଂଗଠକୁ ଏହି ସେବା ପାଇଁ ଧନ୍ୟବାଦ ଜଣାଇଥିଲେ ।
ଇଟିଭି ଭାରତ,ବଲାଙ୍ଗୀର